ଆତ୍ମନେପଦି

 

 

 

 

 

 

 

 

 

 

 

ଆତ୍ମନେପଦୀ

ସୌଭାଗ୍ୟ କୁମାର ମିଶ୍ର

 

ସୂଚୀପତ୍ର

 

୧.

କୃଷ୍ଣଚୂଡ଼ା

୨.

ବିରହ

୩.

ଅସ୍ତ ଜହ୍ନର ଏଲିକି

୪.

ନୀଳକଇଁ

୫.

ଲ୍ୟାଣ୍ଡସ୍କେପ୍

୬.

ତୁମ ନାଆଁ

୭.

ହାତ

୮.

ସନେଟ୍

୯.

ଦ୍ୱିପ୍ରହର

୧୦.

ବାଲିଯାତ୍ରା

୧୧.

ପ୍ରଥମ ସର୍ଗ

୧୨.

ପରିକ୍ରମା

୧୩.

ରବିନ୍‍ସନ୍‍ କ୍ରୁଶୋ

୧୪.

ମେଘ

୧୫.

ଶ୍ରାବଣ

୧୬.

ତୁମରି ନିର୍ଜନ ଘର

୧୭.

ଆଖି

୧୮.

ବର୍ଷା

୧୯.

ପ୍ରଥମ ସନ୍ଧ୍ୟାର ସ୍ଵର

୨୦.

ଦ୍ଵିତୀୟ ସନ୍ଧ୍ୟାର ସ୍ଵର

୨୧.

ତୃତୀୟ ସନ୍ଧ୍ୟା ର ସ୍ଵର

୨୨.

ଅନ୍ୱେଷଣ

୨୩.

ଆତ୍ମଲିପି

୨୪.

ଆଶ୍ୱିନ

୨୫.

ବର୍ଷାପରେ

୨୬.

ଅପ୍ରିୟ

୨୭.

ପ୍ରଥମ ରାତିର ରଙ୍ଗ

୨୮.

ଦ୍ୱିତୀୟ ରାତିର ରଙ୍ଗ

୨୯.

ଅଭିନେତ୍ରୀ

୩୦.

ସ୍ମୃତି ! ତୁମେ.

୩୧.

ଆଜିର ଶୂନ୍ୟତା ପରି

୩୨.

ସମୁଦ୍ର ଓ ମୁଁ

୩୩.

ସାମାନ୍ୟ କଥନ

୩୪.

ବିଶେଷ କଥନ

୩୫.

ଅବ୍ୟୟ

୩୬.

ବାରନ୍ଦା

୩୭.

ନଭେମ୍ବର ୩, ୧୯୬୩

୩୮.

ମାରୀଚ

୩୯.

ଇତିହାସ

୪୦.

ପ୍ରାର୍ଥନା

୪୧.

ମୋ ଛାତ୍ରମାନଙ୍କୁ

୪୨.

ଦୁଇଟି ମୂହୁର୍ତ୍ତ

୪୩.

ସିଡ଼ି

୪୪.

ବସରେ ପୁରୀ ଗଲାବେଳେ

୪୫.

ଦର୍ପଣ

୪୬.

କେଉଁଝର

୪୭.

କାବ୍ୟ

୪୮.

ସନ୍ଧ୍ୟା-ସଂଗୀତ

୪୯.

ମନ୍ତ୍ର

୫୦.

ବସନ୍ତ

Image

 

କୃଷ୍ଣଚୂଡ଼ା

 

ଗରବିଣୀ କୃଷ୍ଣଗୁଡ଼ା ସତେ କେଡ଼େ ଫୁଲେଇ ଟାଏ ମ

ରଙ୍ଗ ଟିକେ ଅଛି ବୋଲି ସିଏ ଆଉ କାହାକୁ ମାନୁନି

ପବନରେ ଦୋହଲାଇ ଏଣେ ତେଣେ ରଙ୍ଗୀନ୍ ପଣତ

ହାତ ଠାରି ଡାକୁଥାଏ ଲାଜ କେମ୍‍ତି ମାଡ଼ୁନି କେଜାଣି ।

ଏ ବାଟରେ ଗଲାବେଳେ ମନେ ମନେ କେତେ ଇଚ୍ଛାହୁଏ

ଟିକିଏ ପାଆନ୍ତି ଭଲ ତା’ ଗରବ ଏଡ଼େ ଭଲଲାଗେ

ଟିକିଏ ଯାଆନ୍ତି ପାଖ ଦିହ ତା’ର ଛୁଅଁନ୍ତି ଅଳପ

ହଠାତ୍ ସମୟ ଆସି ପ୍ରଶ୍ନ କରେ ଓ ଉତ୍ତର ମାଗେ-

“ଏ ରଙ୍ଗ ରହିବ କ’ଣ ଚିରଦିନ ?” –କାଲି ସିନା ଝରିଯାଇପାରେ

ପୁଣିତ ଆସନ୍ତି ବର୍ଷ କୃଷ୍ଣଚୂଡ଼ା ଏମିତି ହସିବ

ତମରି ଯୌବନ କିନ୍ତୁ ଥରେ ଯଦି ଝରିଗଲା ହାୟ

ସେ କଣ ଫେରିବ ଆଉ ଲିପ୍‍ଷ୍ଟିକ୍‍ କଣ ବା କରିବ ?

ନାରୀର ସମଗ୍ର ସତ୍ତା ଭୁଲି ଆଜି ଯେଣୁ ମୁଁ ବିଦଗ୍ଧ

ବାରମ୍ଵାର ଇଚ୍ଛା କରେ ତମକୁ ଓ ତମରି ଯୌବନ

ଇଚ୍ଛା ତେଣୁ ତୁମେ ହୁଅ କୃଷ୍ଣଚୂଡ଼ା ପରି ନାରୀଟିଏ

ତମ ହାତେ ବିକିଦେବି ଏଇ ଦେହ ଏଇ ମନପ୍ରାଣ ।

Image

 

ବିରହ

 

ନିଦ ତ ଲାଗୁନି ଜମା ମନ ଉଠେ ଭାବନାର ଢେଉ

ଆଖିର ବଉଦ ତଳେ ଶ୍ରାବଣର କମ୍ପିତ ଇସାରା

କିଛି ତ ପାରୁନି ଜାଣି ଏଠି ମୋର କୋଠରୀ ଭିତରେ

ଟେବୁଲ ରହିଛି ଅବା ଇତସ୍ତତ଼ଃ ପଡ଼ିଅଛି ବହିର ପସରା ।

ଗଛ ଆଉ କୋଠା ଡେଇଁ ଜହ୍ନ ଭାସେ ଦୂରର ଆକାଶେ

ମୋ ନିଦ ଚୋରାଇ ନେଇ ଚୋର ଭଳି ବିଜନ ରାତିର

ଜଳକା ମୁଁ ଚାହିଁ ରହେ ରହସ୍ୟ ତ ହେଉନାହିଁ ବୁଝି

ଝରକା ସେ ପାଖେ ପଡ଼େ ଟୋପା ଟୋପା ରାତିର ଶିଶିର ।

 

ତମରି ପ୍ରଣୟ ପରି ନିଭିଗଲା ଆଖିର ଆଲୁଅ

ଆଖି କିନ୍ତୁ ବଞ୍ଚିରହେ ତୁମ ସ୍ମୃତି ରହିବି ବି ଚେଇଁ

ବିଜନ ବାଲିର ଚରେ ଭାରବାହୀ ପଥିକ ମୁଁ ଏକା

ତୁହାଇ ତୁହାଇ କାନ୍ଦେ ଶ୍ୟାମବତୀ ଓଏସିସ୍‍ ପାଇଁ ।

 

ମେଘର ଶିଉଳି ତଳେ ଫିକା ଜହ୍ନ ଉପହାସ କରେ ବିଜନତା

ତମେ ଆଜି କେତେ ଦୂରେ କାହିଁ ମୋର ସ୍ଵପ୍ନର କବିତା ?

Image

 

ଅସ୍ତ ଜହ୍ନର ଏଲିଜି

 

ତମେ ଆଜି ଚାଲୁଥନ୍ତା ଏ ସିମେଣ୍ଟ ଚଟାଣ ଉପରେ

ଘୋଷାରି ଘୋଷାରି ଚଟି ଫିଙ୍ଗି ଫିଙ୍ଗି ଚାହାଣୀର ଶର

ବାଁ ହାତେ ବହି ଧରି ଅର୍ଗାନିକ୍ କେମେଷ୍ଟ୍ରୀ ଥିଓରୀ,

ଦି’ ପାଖରୁ ଶୁଭୁଥାନ୍ତା ମିଠା ଖଟା ମନ୍ତବ୍ୟର ସ୍ଵର ।

ଛବି ଅବା ଆଙ୍କୁଥାନ୍ତ ରଫ୍‍ଖାତା ପୃଷ୍ଠା ଚିରି ଚିରି

ଟେଷ୍ଟଟ୍ୟୁବ୍‍ ଭାଙ୍ଗୁଥାନ୍ତ ବାରମ୍ବାର ଲବୋର୍‍ଟାରୀରେ

(ଶାଢ଼ିରେ ଆସିଡ଼୍‍ ପଡ଼ି ଏଠି ସେଠି ପୋଡ଼ି ଯାଉଥାନ୍ତା)

ଅବା ଗପ କରୁଥାନ୍ତ ବସି ବସି କମନ୍ ରୁମରେ ।

ବେଣୀରେ ତୁମର ଥାନ୍ତା ଚମ୍ପାକଢ଼ ନାଲି ନେଳି ଫିତା

ହସର ପରାଗ ଥାନ୍ତା ନାଲି ନାଲି ଓଠ ପାଖୁଡ଼ାରେ

ଜିନିଆ ଫୁଲଟେ ପାଇଁ ମାଳୀ ଆଗେ କେତେ ଅନୁନୟ

କରୁଥାନ୍ତ, ତୁମ ଦେହ ବୁଲୁଥାନ୍ତା ବଗିଚା ଭିତରେ ।

ସେଇ ବଗିଚାର ବାଆ ବାରମ୍ବାର ଆସେ ଫେରିଯାଏ

ତୁମେ ଆଉ ନାହିଁ ବୋଲି ଚୁପ୍ ଚାପ୍ କାନେ କହେ କିଏ ।

 

ତମେ ବି ଗାଇଚ ଗୀତ ଅନ୍ୟ ସବୁ ସାଙ୍ଗସାଥୀ ପରି

ତମେ ବି ବୁଲିଚ କେତେ ସଞ୍ଜବେଳେ ସମୁଦ୍ର କୂଳରେ

ପଲଙ୍କ ଉପରେ ଶୋଇ ରାଜାପୁଅ ସପନ ଦେଖିଚ

ଅଳସ ଭାଙ୍ଗିଚ ଅବା ଅସ୍ତବ୍ୟସ୍ତ ଶାଢ଼ୀ ବ୍ଲାଉସରେ ।

କୁଆଁର ପୂନିଅଁ ଦିନ ନୂଆ ଲୁଗା ପିନ୍ଧିଅଛ ତମେ

ହଳଦି ଲଗାଇ ଦେହେ ଗାଧୋଇଚ, ନାଇଚ ଅଳତା

ଓଦା ବାଳ ଶୁଖାଇଚ କୋଠା ଛାତେ କଅଁଳ ଖରାରେ

ଗ୍ରାମୋଫୋନ୍ ବଜାଇଚ, ନିରୋଳାରେ ଲେଖିଚ କବିତା ।

ଝାଳୁଆ ମୁହଁରେ ବସି କେତେଥର ପରୀକ୍ଷା ଦେଇଚ

କଲମ କାମୁଡ଼ି ଧରି ଭାବିଅଛ ପ୍ରଶ୍ନର ଉତ୍ତର

 

ଗିଲାସଟେ ପାଣି ପାଇଁ ଠିଆ ହୋଇ ଶହ ଶହ ଚାହାଣୀ ଦେଖିଚ

ମନର ଗହୀରେ ଥିବା ଶୁଣିଥିବ ଝରଣାର ସ୍ୱର ।

ଆଜି ଏ ସମସ୍ତ କଥା କରିବାକୁ ପଡ଼ୁନିକି ମନେ

ନିଘୋଡ଼ ନିଦରେ ଶୋଇ ପଡ଼ିଅଛି କେଉଁ ନିକାଞ୍ଚନେ ।

 

ତମରି ହାତର ଚିହ୍ନ ଏଇ ବାକ୍ସ ପେଟରା ଦିହରେ

ଚଟାଣରେ ଶୁଭେ ଅବା ତୁମ ଥିର ପାଦର ଶବଦ

 

ଦେହର ମଧୁର ଗନ୍ଧ ଧରି ରଖେ ଏ ପୁରୁଣା ଶେଯ

ବେଣୀର ବାସନା ଧରି ଏ ତକିଆ ମେଣ୍ଟାଏ ତା’ ସାଧ ।

ଅଇନାରେ ତମ ମୁହଁ ହସେ ଖାଲି ଖିଲ୍ ଖିଲ୍ ହୋଇ

ତମରି ଛବିର ଛାଇ ନାଚିଯାଏ ଏ ଚୂନ କାନ୍ଥରେ

 

ଆଲୁଅରେ ତୁମେ ନାହଁ ଅନ୍ଧାରର ଗହଳି ଭିତରେ

ତମରି ହଜିଲା ଡାକ ବାରମ୍ବାର ମୁଁ ଯେ ଶୁଣିପାରେ ।

ହଜିଲା ମଣିଷ ହାୟ ଛାଡ଼ିଯାଏ ଗୋଟି ଗୋଟି ସ୍ମୃତି

ଉଆଁସ ଅନ୍ଧାରେ ତେଣୁ ମନେ ପଡ଼େ ମିଠା ଜହ୍ନରାତି ।

 

ତେବେ କଣ ମିଛ ସବୁ ଏତେ ହସ ଏତେ ଖୁସି ଗପ

ଏତେ ବେଖାତିର୍ ଚାଲି କଲେଜର ବାରନ୍ଦା ଉପରେ

କଲାସାପ ବେଣୀ ଝୁଲା ପବନରେ ପଣତର ଉଡ଼ା

ଉଜ୍ଜ୍ଵଳ ଚାହାଣୀ ଏତେ ଏଣେ ତେଣେ ଧୂସର ରାସ୍ତାରେ ।

ପିକ୍‍ନିକ୍ ଗ୍ରାମୋଫୋନ୍ ସୂର୍ଯ୍ୟୋଦୟ ପୂର୍ବ ଆକାଶରେ

ସବୁ କଣ ମିଛ କଥା ତମ ଖୋଲା ପିଠିପରି ଏଇ ଜହ୍ନରାତି

 

ଯେତେବେଳେ ତମେ ବସି ବାଡ଼ିଆଡ଼ ଆମ୍ବଗଛ ମୂଳେ

ମନେ ମନେ ସଜାଇଚ ବହୁବାର ସ୍ଵପ୍ନର ସୁପାତି ।

ତମ ଦେହ ବସନ୍ତରେ ଚଢ଼େଇଙ୍କ ଏତେ କଳରବ

କାମନାର ରଙ୍ଗ ଏତେ ତମ ନୀଳ ପଣତ ଦେହରେ

ଆକାଶର ମାୟା ଏତେ ଦୁଇ କଳା ଆଖିର ସାଗରେ

ସବୁ କ’ଣ ମିଛ କଥା ସବୁ କଣ ଭୁଲ୍ ଏକବାରେ ।

ଯଦି ଏ ସମସ୍ତ ଯାଏ ମରି ହଜି କେଉଁ ଅନ୍ଧକାରେ

ଏକମାତ୍ର ଭୟଙ୍କର ମୁହୂର୍ତ୍ତର ଦୁର୍ଘଟଣାରେ ।

 

ସତରଟି ବସନ୍ତରେ ତମେ କଣ ବୁଝିଗଲ ସବୁ

ପୃଥିବୀର ମାନେ କଣ, ମାନେ କଣ ଏଇ ଆକାଶର

ମାଟିର ମଉନ କଥା ଜହ୍ନ ଆଉ ତାରାର ରହସ୍ୟ

ମଣିଷର ହିଂସା ଦ୍ୱେଷ ଅଭିମାନ ମିଥ୍ୟା ଅହଙ୍କାର ।

 

ଛୋଟ ପିଲାଟିଏ ପରି ବୟସର ରଙ୍ଗୀନ କଣ୍ଢେଇ

କଁଅଳ ହାତରେ ଧରି ଖେଲାଇଚ ଗୀତ ଶୁଣାଇଚ

ତମେ କି ପାରିଲ ବୁଝି କଣ୍ଢେଇ କେଉଁ ଉପାଦାନ

ତାକୁ ପୁଣି ଭାଙ୍ଗିଥାଏ ଚୂନା କରି ମନର କାଇଁଚ ।

ସତରଟି କୁହୁତାନେ ତମେ ଖୁବ୍ ମତୁଆଲା ହୋଇ

କୁଣ୍ଢାଇ ଧରିଚ ବୁକେ ମୁକୁଳିତ ନନ୍ଦ ସହକାର

 

ତମେ ତ ନଥିଲ ଜାଣି ସବୁଜ ତା’ ପତର ଗହଳେ

ହିଂସ୍ର କଳାନାଗ ଏକ ଛାଡ଼ୁଥାଏ ବିଷାକ୍ତ ଫୁତ୍‍କାର ।

ଅବୁଝା ରହିଲା ସବୁ ଜଗତର ରହସ୍ୟ ଲିପିକା

ତଥାପି ଅକାଳେ କିଆଁ ପଡ଼ିଗଲା ଶେଷ ଯବନିକା ।

 

ପୃଥିବୀ ତୁମକୁ ଡାକେ, ଡାକେ ନୀଳ ସମୁଦ୍ରର ଢେଉ

କୃଷ୍ଣଚୁଡ଼ା ଡାକ ଛାଡ଼େ ଜହ୍ନ ରାତି ଖୋଜୁଛି ତୁମକୁ

ଡାକୁଚି ରାସ୍ତାର ଧୂଳି ଆକାଶର ଅସରନ୍ତି ନେଳି

ଜହ୍ନ କେତେ ଚେଷ୍ଟାକରେ ଆଜି ତୁମ ଠାବ କରିବାକୁ !

ଚୁଡ଼ି ଦୋକାନରେ ଆଜି ତୁମ ଶଙ୍ଖ ହାତର ଅଭାବ

ଶାଢ଼ି ଦୋକାନରେ ଆଜି କାହିଁ ତୁମ ପସନ୍ଦର ଲୀଳା

କ୍ଳାସରେ ତୁମରି ସିଟ୍ ଖାଲି ପଡ଼େ, ହାଜରା ବହିରେ

ତମ ନାଁରେ ଛକ ଚିହ୍ନ କଲମରେ ଅସମ୍ଭବ ଜ୍ୱାଳା ।

କୁଆଡ଼େ ଯାଇତ ତମେ କେଉଁ ଅସ୍ତ ବନସ୍ତ ଭିତରେ

 

ନିଶ୍ଚିହ୍ନ ହେଇଚ ତମେ, ତମେ ଆଜି କେଉଁ ଜଗତର !

ଏଠି ସେଠି ଖୋଜି ଖୋଜି ଆମେ ସବୁ ହାଲିଆ ହେଲୁଣି

କୁଆଡ଼େ ସେ ଗଲ ତମେ କିଏ ଦେବ ତୁମରି ଖବର ?

ଯାହାକୁ ଖୋଜୁଚୁ ଏତେ ତାକୁ ଆମେ ପାଇବୁ କି ଆଉ

ମିଳନର ପାନଶାଳେ ବିଚ୍ଛେଦର ଚିରନ୍ତନ ଦାଉ ।

 

ଗିଲାସଟେ ପାଣି ପାଇଁ ଠିଆ ହୋଇ ଶହ ଶହ ଚାହାଣୀ ଦେଖିଚ

ମନର ଗହୀରେ ଅବା ଶୁଣିଥିବ ଝରଣାର ସ୍ଵର ।

ଆଜି ଏ ସମସ୍ତ କଥା କରିବାକୁ ପଡ଼ୁନିକି ମନେ

ନିଘୋଡ଼ ନିଦରେ ଶୋଇ ପଡ଼ିଅଛ କେଉଁ ନିକାଞ୍ଚନେ ।

 

ତମରି ହାତର ଚିହ୍ନ ଏଇ ବାକ୍ସ ପେଟରା ଦିହରେ

ଚଟାଣରେ ଶୁଭେ ଅବା ତୁମ ଥିର ପାଦର ଶବଦ

ଦେହର ମଧୁର ଗନ୍ଧ ଧରି ରଖେ ଏ ପୁରୁଣା ଶେଯ

ବେଣୀର ବାସନା ଧରି ଏ ତକିଆ ମେଣ୍ଟାଏ ତା’ ସାଧ ।

ଅଇନାରେ ତମ ମୁହଁ ହସେ ଖାଲି ଖିଲ୍ ଖିଲ୍ ହୋଇ

ତମରି ଛବିର ଛାଇ ନାଚିଯାଏ ଏ ଚୂନ କାନ୍ଥରେ

ଆଲୁଅରେ ତୁମେ ନାହଁ ଅନ୍ଧାରର ଗହଳି ଭିତରେ

ତମରି ହଜିଲା ଡାକ ବାରମ୍ଵାର ମୁଁ ଯେ ଶୁଣିପାରେ ।

ହଜିଲା ମଣିଷ ହାୟ ଛାଡ଼ିଯାଏ ଗୋଟି ଗୋଟି ସ୍ମୃତି

ଉଆଁସ ଅନ୍ଧାରରେ ତେଣୁ ମନେ ପଡ଼େ ମିଠା ଜହ୍ନରାତି ।

ତେବେ କଣ ମିଛ ସବୁ ଏତେ ହସି ଏତେ ଖୁସି ଗପ

ଏତେ ବେଖାତିର୍ ଚାଲି କଲେଜର ବରନ୍ଦା ଉପରେ

କଳାସାପ ବେଣୀ ଝୁଲା ପବନରେ ପଣତର ଉଡ଼ା

ଉଜ୍ଜ୍ଵଳ ଚାହାଣୀ ଏତେ ଏଣେ ତେଣେ ଧୂସର ରାସ୍ତାରେ ।

ପିକ୍‍ନିକ୍ ଗ୍ରାମୋଫୋନ୍‍ ସୂର୍ଯ୍ୟୋଦୟ ପୂର୍ବ ଆକାଶରେ

ସବୁ କଣ ମିଛ କଥା ତମ ଖୋଲା ପିଠିପରି ଏଇ ଜହ୍ନରାତି

ଯେତେବେଳେ ତମେ ବସି ବାଡ଼ିଆଡ଼ ଆମ୍ବଗଛ ମୂଳେ

ମନେ ମନେ ସଜାଇଚ଼ ବହୁବାର ସ୍ୱପ୍ନର ସୁପାତି ।

ତମ ଦେହ ବସନ୍ତରେ ଚଢ଼େଇଙ୍କ ଏତେ କଳରବ

କାମନାର ରଙ୍ଗ ଏତେ ତମ ନୀଳପଣତ ଦେହରେ

ଆକାଶର ମାୟା ଏତେ ଦୁଇ କଳା ଆଖିରେ ସାଗରେ

ସବୁ କଣ ମିଛ କଥା ସବୁ କଣ୍ଠ ଭୁଲ୍ ଏକବାରେ ।

ଯଦି ଏ ସମସ୍ତ ଯାଏ ମରି ହଜି କେଉଁ ଅନ୍ଧକାରେ

ଏକମାତ୍ର ଭୟଙ୍କର । ମୁହୂର୍ତ୍ତର ଦୁର୍ଘଟଣାରେ ।

ସତରଟି ବସନ୍ତରେ ତମେ କଣ ବୁଝିଗଲ ସବୁ

ପୃଥିବୀର ମାନେ କଣ, ମାନେ କଣ ଏଇ ଆକାଶର

ମାଟିର ମଉନ କଥା ଜହ୍ନ ଆଉ ତାରାର ରହସ୍ୟ

ମଣିଷର ହିଂସା ଦ୍ଵେଷ ଅଭିମାନ ମିଥ୍ୟା ଅହଙ୍କାର ।

ଛୋଟ ପିଲାଟିଏ ପରି ବୟସର ରଙ୍ଗୀନ କଣ୍ଢେଇ

କଅଁଳ ହାତରେ ଧରି ଖେଳାଇଚ ଗୀତ ଶୁଣାଇଚ଼

ତମେ କି ପାରିଲ ବୁଝି କଣ୍ଢେଇର କେଉଁ ଉପାଦାନ

ତାକୁ ପୁଣି ଭାଙ୍ଗିଥାଏ ଚୂନା କରି ମନର କାଇଁଚ଼ ।

ସତରଟି କୁହୁତାନେ ତମେ ଖୁବ୍‍ ମତୁଆଲା ହୋଇ

କୁଣ୍ଢାଇ ଧରିଚ ବୁକେ ମୁକୁଳିତ ନବ ସହକାରେ

ତମେ ତ ନ ଥିଲ ଜାଣି ସବୁଜ ତା’ ପତର ଗହଳେ

ହିଂସ୍ର କଳା ନାଗ ଏକ ଛାଡ଼ୁଥାଏ ବିଷାକ୍ତ ଫୁତ୍‍କାର ।

ଅବୁଝା ରହିଲା ସବୁ ଜଗତର ରହସ୍ୟ ଲିପିକା

ତଥାପି ଅକାଳେ କିଆଁ ପଡ଼ିଗଲା ଶେଷଯବନିକା ।

 

ପୃଥିବୀ ତୁମକୁ ଡାକେ; ଡାକେ ନୀଳ ସମୁଦ୍ର ଢେଉ

କୃଷ୍ଣଚୂଡ଼ା ଡାକ ଛାଡ଼େ ଜହ୍ନରାତି ଖୋଜୁଛି ତୁମକୁ

ଡାକୁଛି ରାସ୍ତାର ଧୂଳି ଆକାଶର ଅସରନ୍ତି ନେଳି

ଜହ୍ନ କେତେ ଚେଷ୍ଟାକରେ ଆଜି ତୁମ ଠାବ କରିବାକୁ ।

ଚୁଡ଼ି ଦେକାନରେ ଆଜି ତୁମ ଶଙ୍ଖ ହାତର ଅଭାବ

ଶାଢ଼ି ଦୋକାନରେ ଆଜି କାହିଁ ତୁମ ପସନ୍ଦର ଲୀଳା ।

କ୍ଳାସରେ ତୁମରି ସିଟ୍ ଖାଲି ପଡ଼େ, ହାଜରା ବହିରେ

ତମ ନାରେ ଛକ ଚିହ୍ନ କଲମରେ ଅସମ୍ଭବ ଜ୍ଵାଳା ।

କୁଆଡ଼େ ଯାଇଚ ତମେ, କେଉଁ ଅସ୍ତ ବନସ୍ତ ଭିତରେ

ନିଶ୍ଚିହ୍ନ ହେଉଚ ତମେ,ତମେ ଆଜି କେଉଁ ଜଗତର !

ଏଠି ସେଠି ଖୋଜି ଖୋଜି ଆମେ ସବୁ ହାଲିଆ ହେଲୁଣି

କୁଆଡ଼େ ଯେ ଗଲ ତମେ କିଏ ଦେବ ତୁମରି ଖବର ?

ଯାହାକୁ ଖୋଜୁଚୁ ଏତେ ତାକୁ ଆମେ ପାଇବୁ କି ଆଉ

ମିଳନର ପାନଶାଳେ ବିଚ୍ଛେଦର ଚିରନ୍ତନ ଦାଉ ।

 

ଅନ୍ଧାର ରାତିରେ ବସି ଆମ ଘର ବାରନ୍ଦା ଉପରେ

ଚୁପ୍ ଚାପ ବହୁଥର ଆକାଶକୁ ମୁଁ ଯେ ଚାହିଁରହେ

କେତେ ଆହା ଚେଷ୍ଟାକରେ ଝିକିମିକି ତାରାଙ୍କ ଗହଳେ

ତୁମ ମୁହଁ ଦେଖିବାକୁ, ସବୁ ଚେଷ୍ଟା ବ୍ୟର୍ଥ ସିନା ହୁଏ ।

ମୁଁ କେଡ଼େ ନିର୍ବୋଧ ସତେ ପୃଥିବୀର ମୃଣ୍ମୟୀ କନ୍ୟାକୁ

ଖୋଜୁଚି ପାଗଳ ପରି ଆକାଶର ଆଲୋକସାଗରେ

ତମେ କଣ ଛାଡ଼ିଥିବ ସ୍ନେହମୟୀ ଏ ମାଟିର ମୋହ

ତମେ ନିଶ୍ଚେ ବୁଲୁଥିବ ଅନ୍ଧାରରେ ବନୁ ବନାନ୍ତରେ ।

ଜୋଛନା ରାତିରେ ଆସି ବସୁଥିବ ସମୁଦ୍ର କୂଳରେ

ଥିରି ଥିରି ଗାଉଥିବ ଜୀବନର ବ୍ୟର୍ଥତାର ଗୀତ

ଅବା ଏଇ ଝାଉଁବଣେ କାନି ପାରି ଶୋଇ ପଡ଼ୁଥିବ

ପାହାନ୍ତି ପହରେ କାହିଁ ଲୁଚୁଥିବ ତୁମରି ପଣତ ।

ସେତେବେଳେ ଖସି ଆସି ଆକାଶର ଗୋଟି ଗୋଟି ତାରା

କଇଁଫୁଲ ହେଇ ସବୁ ଫୁଟିଥିବେ ତୁମ ବାଡ଼ି ଗଡ଼ିଆଟା ସାରା ।

 

ଯେଉଁଠି ଶୋଇଚ ତମେ ଯେଉଁ ଦୂର ସମୁଦ୍ର କୂଳରେ

ସେଠୁ ଆଜି ହାୱା ଆସି କହୁଥିଲା ମୋତେ ତୁମ କଥା

ପଡ଼ିଚି ତୁମରି ଦେହ, ଶଙ୍ଖ ଦେହ ବିଜନ ବେଳାରେ

ଅନେକ ପାଗଳ ଢ଼େଉ ସେଠି ଆସି ପିଟୁଚନ୍ତି ମଥା ।

ତୁମରି ଆଖିର କୋଣେ ଦୁଇଟୋପା ଚିକ୍ ଚିକ୍ ଲୁହ

ଜହ୍ନ ଆଲୁଅରେ ଜଳେ, ତୁମ ଓଦା ଶାଢ଼ି ବ୍ଲାଉସରେ

ଜମିଚି ଗୁଡ଼ାଏ ବାଲି, ଓଠ ରଙ୍ଗ ଫିକା ଦିଶିଲାଣି

ବିଷର୍ଣ୍ଣ ଆକାଶ ଅବା ଭାସିବୁଲେ ମୁହଁର ନେଳିରେ ।

ତମେ ଆଜି ଶୋଇପଡ଼ ଭୁଲିଯାଅ ପୃଥିବୀର କଥା

ଭୁଲିଯାଅ ଯେତେ ଯାହା ଈର୍ଷ୍ୟା ଘୃଣା ନିନ୍ଦା ଅହଙ୍କାର

ପାସୋରି ପକାଅ ଯେତେ ହସ କାନ୍ଦ ଜୟ ପରାଜୟ

ଜ୍ଵଳନ୍ତ ମନର ଭାଷା, ଚେତନାର ପ୍ରଚଣ୍ଡ ପ୍ରହାର ।

ତୁମେ ଆଜି ଭାସିଯାଅ ବହୁଦୂରେ ସମୁଦ୍ର ଭିତରେ

ଶାମୁକାରେ ସ୍ୱପ୍ନ ହଜୁ, ଲୁପ୍ତ ହେଉ ପ୍ରବଳ ପ୍ରାଚୀରେ ।

ଆଉ କେତେଦିନ ପରେ ତମ କଥା ଭୁଲିଯିବୁ ଆମେ

ସବୁଦିନ ପରି ଯାଇ ଜମାହେବୁ ସମୁଦ୍ର କୂଳରେ

ଗୀତ ବି ଗାଇବୁ କେତେ ବଜାଇବୁ ମାଉଥ୍ ଅର୍ଗାନ୍

ମନକୁ ଭସାଇ ଦେବୁ ଆନନ୍ଦର ଉତଳା ଢ଼େଉରେ

କିଏ ସେ ଜାଣିଲା କହ ସେ ଟିକକ ଆନନ୍ଦର ପାଇଁ

ଟିକିଏ ସେନେହ ଲାଗି ଜଳି ଜଳି ପୋଡ଼ିଗଲ ତମେ

ସ୍ୱର୍ଗଦ୍ୱାରେ ଉଡ଼ୁଥିବ ମୁଠା ମୁଠା ପାଉଁଶ ତମର

ଖାତିର ନ କରି ହାୟ ଆଗେ ଆଗେ ବଢ଼ୁଥିବୁ ଆମେ ।

ଝରଣାର ମନକଥା ବୁଝେନାହିଁ କୂଳରେ ପଥର

ବେଳାଭୂମେ ମଥାପିଟି ଫେରିଯାଏ ସାଗରର ଢ଼େଉ

ତମରି ସ୍ମୃତିର ରଙ୍ଗ ଧୋଇଯିବ ସମୟ ସୁଅରେ

କଳାରାତି ମାଡ଼ିଯିବ ଚାରିଆଡ଼େ ବେଳ ଥାଉ ଥାଉ ।

ମଣିଷ ପାସୋରି ଦିଏ ମଣିଷକୁ ନିଭିଗଲେ ନିଆଁ

ଓଠ ଫାଡ଼ି ହସୁଥାଏ ମଣିଷର ବିଚିତ୍ର ଦୁନିଆଁ ।

Image

 

ନୀଳ କଇଁ

 

ଆକାଶ ଉଡ଼ାଏ ତା’ର ବନାରସୀ ଶାଢ଼ିର ପଣତ

ପବନ ଗାଉଚି ଗୀତ ଧାନ କ୍ଷେତ ବିସ୍ତୃତି ଭିତରେ

ଢେଉ ଭାଙ୍ଗେ କାଶ ଫୁଲ ହସ ପରି ଉଚ୍ଛଳ ଜୁଆରେ

ସୋହାଗିନୀ ତଟିନୀର ଓଦାଳିଆ ଓଠ କଡ଼େ କଡ଼େ ।

ସୁନେଲି ରୁପେଲି ମାଛ ଲାଞ୍ଜ ଛାଟି ତନ୍ତୁ ଦୋହଲାଇ

କି ଖେଳ ଖେଳନ୍ତି ଇ ମା କୁଳୁକୁଳୁ କିଆରୀ ପାଣିରେ

ଗରବିଣୀ ଝିଅ ପରି ସରପଞ୍ଚ ପ୍ରଧାନ ଘରର ।

ଦୁଧିଆଳି ଗାଈ ପରି ମେଘ ଖଣ୍ଡେ କାହିଁ ଚରିବୁଲେ ।

ଆଉ ଟିକେ ବେଳ ଗଲେ ଅନ୍ଧାରର ଗହଳ ଖୋଷାରେ

ଲକ୍ଷେ ତାରା ଝଟକିବେ ନୂଆବୋହୂ, କାନ ଦୁଲ୍ ପରି

ଆମ ଗାଁ ପୋଖରୀରେ ଏକାକିନୀ ନୀଳ କଇଁଟିଏ

ଉଜାଗର ବସିଥିବ ସାଥୀ ଜହ୍ନ ପଥ ଅନୁସରି ।

ତମେ ରୂପା ଥାଳିପଟ ଜହ୍ନ ମୋର ଜକ ଜକ କୁଆଁର ପୂନିଅଁ

ତମ ପାଇଁ ଫୁଟେ ମନେ ସପନର କେତେ ନୀଳ କଇଁ

ସବୁ କ’ଣ ମିଛଟାରେ ? ଗଡ଼ି ଚାଲେ ପହର ପହର

ନିଃସଙ୍ଗ କୁଟୀର ପଥେ କାଇଁ ତ କା’ ଚାଲି ଶୁଭୁନାଇଁ ।

ସକାଳେ ଏ କଇଁଟିର ଯଉବନ ଯାଇଥିବ ଝରି

ଗାଲ ଓଦା କରି ଲୁହେ ହୀନିମାନୀ ପଡ଼ିଥିବ ନଇଁ

ଇମିତି କେତେ ଯେ ଆଶା ପାଣି ଫାଟି ମିଳାଇ ଯାଉଛି

ତଥାପି ତ ଏ ଆଶାର ଆଦି ଥାଇ ଅନ୍ତ କେବେ ନାଇଁ ।

Image

 

ଲ୍ୟାଣ୍ଡ ସ୍କେପ୍

 

ମାଇଲ୍‍ ମାଇଲ୍ ଧରି ଧାନ କ୍ଷେତ ସବୁଜ ମଶିଣା

ଅନେକ ଗୋପନ ହିଡ଼ କୁଳୁକୁଳୁ କିଆରୀର ପାଣି

ଧାଡ଼ି ଧାଡ଼ି କଣ୍ଟା ବୁଦା ତାଳ ବଣ ସବୁ ରାସ୍ତାଟିଏ

ଛୋଟ ନେଳି ଚଢ଼େଇଟି ଉଡ଼ି ଉଡ଼ି ହୁଏ ବାଟବଣା

ଦି’ ପହର ଖରା ନଏଁ, ଧୂଆଁଳିଆ ଦୂରର ପାହାଡ଼

ବିଲୁଆର ଗାତ ମୁଳେ ମୁଠା ମୁଠା କଙ୍କଡ଼ାର ଗୋଡ଼ ।

 

ସେଠି ବୋଧେ ଗାଁଟିଏ–ନିଛାଟିଆ ରାତିର ଚଢ଼େଇ

ଜହ୍ନି ଡଙ୍କ ମାଡ଼ି ଥିବ ନୂଆଁଣିଆ କୁଡ଼ିଆ ଚାଳରେ

ଦରମେଲା ବାଡ଼ି ଘରୁ ଶୁଭୁଥିବ ଢେଙ୍କିର ପାହାର

ଖଳା ଖାଲି ପଡ଼ିଥିବ ଚିନ୍ତାଶୂନ୍ୟ ଶିଶୁ ମନ ପରି,

ପ୍ରଜାପତି ଘୂରୁଥିବ ଏଣେ ତେଣେ କଖାରୁ ଫୁଲରେ

କାଦୁଅ ଯିବଣି ଶୁଝି ଓଳି ତଳେ ଆଉ ରାସ୍ତା କଡ଼େ ।

 

ହଳଦିଆ ଆକାଶରେ ମେଘ ନାଇଁ ସ୍ତବ୍ଧ ଦି’ପହର

ଏଠି ମୋର ଚାରିଆଡ଼େ କୁଢ଼ କୁଢ଼ ନଈବାଲି ଜମା

ସ୍ଥବିର ମନର ସାପ କାତି ଛାଡ଼େ ଅଳସ ଦେହରୁ

ଦି’ ପହର ଖରା ତଳେ ଧୋଇଯାଏ ସବୁ ଆବର୍ଜନା

ଛଳ ଛଳ ବଇଁଶୀର ତାନ ଶୁଭେ ନଈ କୂଳେ କୂଳେ

ଲ୍ୟାଣ୍ଡସ୍କେପ୍ ଫୁଲ ହୋଇ ଫୁଟେ ମୋର ମନର ଡାଳରେ ।

Image

 

ତୁମ ନାଆଁ

 

ତୁମ ନାଁ’ ଯେବେ ମୁଁ ଶୁଣେ

ଯେବେ ଶୁଣେ ତିନୋଟି ଅକ୍ଷର

ମନର ସବୁଜେ ଆସି ବିଦ୍ଧ ହୁଏ

ତିନିଗୋଟି ତିକ୍ଷ୍ଣ ଫୁଲଶର ।

ସେ ଶରର ଆଘାତରେ

ମନ ମୋର ଛିନ୍‍ଭିନ୍‍ ହୁଏ

ରକ୍ତ ସବୁ ତଳେ ପଡ଼େ

ଆଉ ସବୁ ଫୁଲ ହୋଇ ଫୁଟେ ।

 

ସେ ଫୁଲର କେତେଗୋଟି ଢଳ ଢଳ ନୀଳ ପାଖୁଡ଼ାରେ

ପୁଣି ଦେଖେ ତୁମ ନାଁ’ ଲେଖା

ମନର ଅଙ୍ଗନେ ପୁଣି ଜଳିଯାଏ ହୁତାଶନ ଶିଖା ।

Image

 

ହାତ

 

ତୁମରି ନରମ ହାତ ଚେଷ୍ଟା କରି ଛାଡ଼ିତ ପାରୁନି

ଅସୀମ ଦୂରତ୍ୱେ ଭରା ତଥାପି ସେ କେଡ଼େ ସ୍ପର୍ଶମୟ

ଜ୍ୱଳନର ପରିଣତି ହେଉପଛେ କର୍କଶ ଅଙ୍ଗାର

ମାନିବାକୁ ପ୍ରସ୍ତୁତ ମୁଁ ପୌରୁଷର ମୂଢ଼ ପରାଜୟ ।

 

ଅନଭିଜ୍ଞ (?) କାକ ଲାଗି ଶ୍ରୀରାମଙ୍କ ହାତ ବଢ଼ାଇବା

ମୋ ଦେଇ ସଫଳ କେବେ ହେବନାହିଁ ତଥାପି କି ଜହ୍ନର ଦୂରତ୍ୱ-

କୁ ସ୍ଵୀକାର କରିବି ମୁଁ ? ତୁମ ହାତ ଶରତର ନଦୀ

ସ୍ୱଚ୍ଛ ଓ ସରସ ସେଠି ମିଶେ ମୋର ତୃଷ୍ଣାର ସରିତ ।

 

ଜ୍ୱଳନ ଓ ପ୍ରସ୍ରବଣ ଦୁଇଗୋଟି ଭିନ୍ନ ଭିନ୍ନ କଥା

ତଥାପି ସେ ଦୁହେଁ ଏକ ହୋଇଯାନ୍ତି ଠିକ୍ ଯେତେବେଳେ

ଆଦିମ ଅରଣ୍ୟ ପରି ଶୂନ୍‍ଶାନ୍ ରାତିର ଅନ୍ଧାରେ

ତୁମ ହାତ ଚାପି ଧରି ତା’ ଉପରେ ଲୁହ ମୋର ଢାଳେ ।

 

ସମନ୍ୱୟ ଆଣେ ଯଦି ତମରି ଏ ଛୋଟ ଶୁଭ୍ର ହାତ

ନିଜକୁ ବିଭକ୍ତ କରି ଶୁଣିବି ମୁଁ ବିଭିନ୍ନ ସଙ୍ଗୀତ ।

Image

 

ସନେଟ୍

 

ଗାଁ ଦାଣ୍ଡେ ଉଡ଼ାଇ ଧୂଳି ଚଉରାରେ ଦୀପଟି ଜଳାଇ

ସମସ୍ତଙ୍କୁ ଡାକି ଆଣି ଘରକୁ ଓ ଗୀତପଦେ ଗାଇ

ପୁରୁଣା ଆଖେଡ଼ା ଘରେ, ସନ୍ଧ୍ୟା ଏଇ ବୁଢ଼ୀ ହୋଇଗଲା

ଧୋବ ଲୁଗାଟିଏ ପିନ୍ଧି ବାଡ଼ିପଟ ପିଣ୍ଡାରେ ବସିଲା ।

 

ଜହ୍ନ କେଡ଼େ ତୋରା ଆଜି ଆମ୍ବତୋଟା ମଥାନ ଉପରେ

ଛିଣ୍ଡା ହେଁସ ପାରି ଦେଇ କେତେ ସ୍ଵପ୍ନ ଯାକିଯୁକି ହୋଇ

ଚୁଲିମୁଣ୍ଡେ ଗୁଡ଼ୁ ଗୁଡ଼ୁ ଛୋପରି ସେ କାଞ୍ଚି ବିଲେଇଟା

କି ଫୁଲର ଗନ୍ଧ ଆସେ ଆଡ଼ ଆଖି ରଙ୍ଗା ମୁହଁ ଛୁଇଁ ।

 

ତମରି ଦେହର ସେଇ ନିଛାଟିଆ ନଈବାଲି ପରେ

ଗରବରେ ଫୁଲିଫାଟି ଆଉ ଥରେ ନଈବଢ଼ି ଆସୁ

ଗେହ୍ଲେଇ ଚଢ଼େଇ ତା’ର ବସାବାନ୍ଧୁ ତାଳ ବାହୁଙ୍ଗାରେ

ଆଜି ପୁଣି ସ୍ୱପ୍ନ ଆସେ ଏ ନିର୍ଜନ ଡାକବାଂଲୋଟିରେ....

 

ସମୟ ସୁଅରେ କେତେ ସାହାନାଇ କେତେବା ବେହେଲା

ଫୁଲେଇ ନାଳକୁ ଚାହିଁ ଫୁଟାଣିଆ ଜନ୍ମ ହସି ଦେଲା ।

Image

 

ଦ୍ଵି ପ୍ରହର

 

ନଈ ହୁଡ଼ା ବରଗଛ ପତ୍ରଝଡ଼ା ଥୁଣ୍ଟା ଡାଳେ ଡାଳେ

ବାଦୁଡ଼ିର ଚେଁ ଚାଁ କପୋତର କରୁଣ କଣ୍ଠରେ

ଦ୍ୱିପ୍ରହର ନଇଁଆସେ ପ୍ରାଣାନ୍ତକ ବେଦନା ବିକଳେ

ଅଜାଡ଼ି ଉତ୍ତପ୍ତ ଲାଭା କୁଆ ତରା ସମାଧି ଉପରେ ।

ବଡ଼ଦାଣ୍ଡ ଶୂନ୍ୟ ହୁଏ ଏ ଆକାଶ ଢୁଳାଏ ନିଦରେ

ସ୍ଵାଭାବିକ ଚେତନାରେ ପ୍ରାଣ ମୋର ସହ୍ୟ କରିଯାଏ

ନିଆଁ ଛାଟ ବାଜେ ଯେତେ ଜୀବନର ଚାଟଶାଳୀ ଘରେ

ସୁଦୀର୍ଘ ଭବିଷ୍ୟ ଲାଗି ଚିହ୍ନ ରଖି ହାତରେ ପିଠିରେ ।

ଦୋକାନ ବଜାର ବନ୍ଦ, ବନ୍ଦ ସବୁ ସିନେମାର ଘର

ମଉଳେ କାଗଜ ଫୁଲ ଡ୍ରଇଁରୁମ୍ ଝରକା ଉପରେ

ମଇଳା ନର୍ଗିସ୍ ଛବି ବଗିଚାରେ ଶୁଖିଲା ଜିନିଆ

ମୁଠା ମୁଠା ପାଉଁଶ କେ ବିଁଚିଦିଏ ଆକାଶର ଏ କୂଳେ ସେ କୂଳେ ।

ଜୋଛନା କାହିଁରେ କାହିଁ କାହିଁ ମୋର ଚଇତର ରାତି

ବଇଁଶୀର ସୁର କାହିଁ ଯମୁନାର ନୀଳ ନୀର କାହିଁ

ସୁଧାର କଳସେ ମୋର ମାଟିଗୋଡ଼ି ଲୁହା ଓ ଖପରା

ଅସମ୍ଭବ ଦୂରତାରେ ଉପହାସ କରେ ସବୁ ଛାଇ ।

ଆଲିଜା ଗଛର ପତ୍ରେ ଜୀବନର ରଙ୍ଗ ଯାଏ ଧୋଇ

ଦ୍ଵିପହର ହତବାକ୍ ଚୁପ୍ ଚାପ୍ ପୃଥିବୀର ଛାତି

ମୋର ଆଜି ମନେ ହୁଏ ଏପ୍ରିଲର ଏଇ ଦ୍ୱିପ୍ରହରେ

ପୋଡ଼ି ଜଳିଯାଏ ଯେତେ ବୁଦ୍ଧ ଆଉ ଆଶୋକର ସ୍ମୃତି ।

ଆମର ଏ ପୃଥିବୀର ଶତ ଶତ ତପ୍ତ ଦ୍ଵିପ୍ରହର

ଟାଣିନିଏ ଜୀବନରୁ ଯେତେ ଆଶା ହସର ଉଚ୍ଛ୍ୱାସ

ତେଣୁ ଆଜି ସଞ୍ଜବେଳେ ଦେଖାଯିବ ସମୁଦ୍ର କୂଳରେ

ସମସ୍ତ ଜୀବନ ରଙ୍ଗେ ହସୁଥିବ ପଶ୍ଚିମ ଆକାଶ ।

Image

 

ବାଲିଯାତ୍ରା

 

ଯଥେଷ୍ଟ ଆଲୁଅ ଏଠି ନାଲି ନେଳି ହରେକ ରଙ୍ଗର

ଦୂର ନଭଚାରୀ ଜହ୍ନ ! ତୁମକୁ ବା କିଏ ସେ ପଚାରେ

‘ଚଲ୍ ଦାଦା ଦେରୀ କ୍ୟାନୋ’-ରମେଶ ଓ ସେନ୍‍ନ୍ଦା ପ୍ରଭୃତି

ଆମେ କେତେଜଣ ସାଙ୍ଗ ମିଶିଗଲୁ ଜନ ଗହଳିରେ ।

 

ମହତ୍ ଉଦ୍ଦେଶ୍ୟ ନେଇ ଆମେ ସବୁ ବହୁତ ବୁଲିଲୁ

ଫିଲ୍ମଷ୍ଟାର ଷ୍ଟାଇଲରେ କ୍ୟାଭେଣ୍ଡର୍ ଓଠରେ ଜଳାଇ

ଆମେ ସବୁ ଠିଆ ହେଲୁ ଚୁଡ଼ି କିମ୍ବା ମନୋହାରୀ ଦୋକାନ ଆଗରେ

ଛପିଲା ପଣତ ପଛେ ରୁଗ୍ଣତାର କୁକୁର ଦୌଡ଼ାଇ ।

 

ବେଲୁନ୍ ଫାଟିଲା ପରି ହସି ହସି ଗଡ଼ିଗଲୁ ଆମେ

ଚିନାବାଦାମ୍ ଚୋପା ପରି ଫିଙ୍ଗି ଦେଲୁ ପଦ ପଦ କଥା

‘ମେରୀ ଗୋ ରାଉଣ୍ଡ’ ପରି ଘୂରୁଥିଲା ଆଖିର କାଇଁଚ

ବିବେକର ଅଫିସରେ ତାଲା ପଡ଼ି ଥିଲା ନୀରବତା ।

 

ଏ ସବୁ ପ୍ରୋଗ୍ରାମ୍ ଦେଇ ବାଲିଯାତ୍ରା ଦେଖା ସରିଗଲା

ହୋଟେଲରେ ଟଙ୍କା ବାକୀ କେତେଦୂରେ ଆଗାମୀ ପହିଲା ?

Image

 

ପ୍ରଥମ ସର୍ଗ

 

ସମୟର ପାହାଚରେ ଛିଡ଼ା ହୋଇ ଆଗକୁ ଚାହିଁଲେ

ଝିଲମିଲି ମୁଠେ ଖରା ଭଙ୍ଗା କାଚ କାଗଜ ଫୁଲର ।

ଶୋଷର ଆବୃତ୍ତି ଆଉ ବାଦୁଡ଼ିର ପଳାୟନ ବାଦ

ଭୟଙ୍କର ପ୍ରଦର୍ଶନୀ ପୁରୁଣା ଫାଇଲ୍ ଆଉ ଗୋଡ଼ି ଖପରାର ।

 

ଉଚ୍ଚ ଆକାଂକ୍ଷାର ସାପ ମଳାବାନ୍ଧି ଶୋଇପଡ଼େ ଖରାର ଶେଯରେ

ଚଢ଼େଇର ସ୍ୱର ଶୁଭେ ଟିକ୍ ଟିକ୍ ଶବ୍ଦପରି ମିନିଟ୍ କଣ୍ଟାର

ମଧ୍ୟାହ୍ନର ଡାଏଲ ଉପରେ

ପାଉଁଶିଆ ଆକାଶରେ ସାଗରର ଅନୁପ୍ରାସ ଯମକ ମୁଁ ଖୋଜି

ଅବଶେଷେ ଠିଆ ହେଲି ତମରି ଏ ଟେବୁଲ୍ ସାମ୍ନାରେ ।

 

ତମେ ଥରେ ମୁହଁ ଟେକି ଚାହଁ ଏବଂ ଛେପ ଢୋକି କୁହ ‘ନମସ୍କାର’ ।

 

ସବୁ କଥା ଜାଣିଚି ମୁଁ ତମ ବାପା ଗୁଡ଼େ ଧାର କରି

ଏହି କେତେ ଦିନ ତଳେ ବିଷ ଖାଇ ଆତ୍ମହତ୍ୟା କଲେ

ତମେ ପଢ଼ା ଛାଡ଼ିଦେଲ ଢୁକିଲ ଏ ଅଫିସ୍ ଭିତରେ

କୁହ ମତେ ସବୁ ଖୋଲି କୁହ...

ତୁମେ କ’ଣ ପାର୍କଆଡ଼େ ବୁଲିଯିବ ?

ଚା’ ଖାଇ ଯିବା ଆସ କ୍ୟାଣ୍ଟିନ୍‍କୁ...

ତମେ କ’ଣ ବୁଢ଼ୀ ହେଇଗଲ ?

ମନେ ପଡ଼େ ଏତେବେଳେ ତମେ ଦିନେ କ’ଣ ଥିଲ

ତମରି ଓଠର ହାତ ଅଟକାଇ ଦେଉଥିଲା ସମୟର କ୍ଷତିକର ଗତି

ତମେ ଦିନେ କ’ଣ ଥିଲ ଏ ଆକାଶ କ’ଣ ଥିଲା

କ’ଣ ଥିଲା ପାର୍କର ଭାଷା

ଜହ୍ନର ଡେଣା ତଳେ ଜୀବନର ଆଶା ଓ ଭରସା ।

ଏ କ’ଣ ଏ ସିଡ଼ି ପାହାଚରେ

କାହାର ଓହ୍ଲାଇବାର ଶବ୍ଦସବୁ ହାତ ତାଳି ମାରେ

ଏ ସବୁ କାହାର ଛାଇ ଏଗୁଡ଼ାକ କାହାର କଙ୍କାଳ

(ବାଜେ ପ୍ରଶ୍ନ ପଚାରୁଚି କ୍ଷମାକର ମତେ କ୍ଷମାକର ।)

 

ଆଃ ଆଜି ତାରିଖଟା କେତେ ?

କି’ ତିଥି କି’ ବାର ଏଟା କେଉଁ ମାସ

ଆସନ୍ତା ମାସରେ ମୋର ବାହାଘର

ନିମନ୍ତ୍ରଣ ରହିଲା ଆସିବ

ମୋର ତ ଅନେକ ବନ୍ଧୁ-ମଜା ହେବ-ନିଶ୍ଚୟ ଆସିବ ।

 

ସାଢ଼େ ଚାରି ବାଜିଲାଣି ଯିବନି କି ? ଲେଖା ବନ୍ଦ କର

ମୋ ସାଙ୍ଗରେ ଯିବ ଆସ ମୁଁ ତମକୁ ଘରେ ଛାଡ଼ି ଦେବି

ପଶ୍ଚିମ ଆକାଶେ ମେଘ-‘ଅମୋଘାଃ ପଶ୍ଚିମା ମେଘାଃ’ ମନେ ନାଇଁ ସଂସ୍କୃତ କ୍ଲାସରେ

ନାରଣ ପଣ୍ଡିତେ ଦିନେ କହୁଥିଲେ-ଜଲ୍‍ଦି ଆସ ଯଦି ବର୍ଷା ହେବ ।

 

ତୁମକୁ ମୁଁ ଓଦା ହେବା ଦେଖିଥିଲି ଦିନେ

ନିଛାଟିଆ ଜହ୍ନ ଝରଣାରେ ।

 

ଉଦାସ ଅନ୍ଧାର ଅସେ ଉଦାସ ଏ ପୃଥିବୀ ଦେହରେ

ଆଉ ଟିକେ ଡେରି ହେଲେ ବ୍ୟଥାହତ ଆମରି ସହର

ବିଜୁଳୀ ବତୀର ଆଖି ଶିଶିରେ ଭିଜାଇ

ବାହୁନିବ ସ୍ମୃତି ସବୁ ହରପ୍‍ପା ଓ ମହେଞ୍ଜୋଦାରୋର ।

 

ମୋର ବି ଅନେକ କାମ ଶୂନ୍‍ଶାନ୍ ଅନ୍ଧାର ରାତିରେ

ଆଖିର ଫରୁଆ ଖୋଲି ମୁଁ ଖୋଜିବି ସେଇ ଭଅଁରକୁ

(ଅସୁରୁଣୀ ଯାହାଠିକି ନିଜ ପ୍ରାଣ ଲୁଚାଇ ଦେଇଚି)

 

ତା’ପରେ ହଠାତ୍ ମତେ ବୋକାକରି ଚାଲାକ୍ ଭଅଁର

ବାହାରକୁ ଉଡ଼ିଯିବ ମିଶିଯିବ ସହରର ପ୍ରତ୍ୟେକ ଅଣୁରେ

ଏ ଗାଢ଼ ଅନ୍ଧାର ପରି...

ମୁଁ ତମକୁ ଥଟ୍ଟା କରୁନାହିଁ

ତମେ ମତେ କଥା କୁହ ତମେ କିଆଁ ଏମିତି ନୀରବ ?

Image

 

ପରିକ୍ରମା

 

ଅଫିସ୍‍ରୁ ଫେରୁଥିବା କେଉଁ ଏକ କିରାଣୀର ବ୍ୟସ୍ତ ଓ ବିବ୍ରତ ମନ ପରି

ସାଇକେଲ ଚକ ମୋର ଘିର୍ ଘିର ଘୂରେ ଆହା ଏ ସହର ଧୂସର ରାସ୍ତାରେ

ମଣିଷର ଦେଖା ନାଇଁ ଏଠି ଏତେ କିଣାବିକା ଲୋକଙ୍କ ଗହଳି

ଏଠି ଏତେ ପାଟିତୁଣ୍ଡ ପେଁ ପେଁ ଟିନ୍ ଟିନ୍, ରେଡ଼ିଓର ସ୍ଵର

ଅଥଚ ସେ ଗୀତ କାହିଁ ? ଏଠି ଏତେ ସ୍ନୋ ଓ ଅତର

କିନ୍ତୁ ସେ ସୌରଭ କାହିଁ ? ଏଠି ଏତେ ନାଲି ନେଳି ଆଲୁଅ ଓ ଲୁଗା

କଣ୍ଢେଇ ଓ ଗୋଲ୍‍ ମୁହଁ କାନ୍ଥ ଦେହେ ଧାଡ଼ି ଧାଡ଼ି ସିନେମା ପୋଷ୍ଟାର୍

କିନ୍ତୁ ସେ ସୌନ୍ଦର୍ଯ୍ୟ କାହିଁ ରୂପହୀନ ବର୍ଣ୍ଣହୀନ ସବୁ ।

 

ଆମେ ଏତେ ସାଙ୍ଗସାଥୀ କିନ୍ତୁ, ଆମେ ପରସ୍ପରଠାରୁ

ପରସ୍ପର କେତେ ଭିନ୍ନ ଆମର ଏ ଅଖଣ୍ଡ ଦୂରତ୍ଵ

ସତ୍ତ୍ଵେ ଏତେ ହସ ଖୁସି ନମସ୍କାର ଓ କରକମ୍ପନ

ଯାହା ଦିନ ପରି ଯୋଡ଼େ ବିଦ୍ୱେଷର ଅସଂଖ୍ୟ ରାତ୍ରିକୁ

ଏଇ ସବୁ କୋଠାଘର ମୋର ବନ୍ଧୁ ଜନର୍ଦ୍ଦନଙ୍କର

(ଆଃ) ସବୁ ଯଦି ଭାଙ୍ଗ ଯାନ୍ତା ଅବା ସବୁ ଯଦି ପୋଡ଼ିଯାନ୍ତା

ନିରୋ ପରି ଘରେ ବସି ଆନନ୍ଦରେ ବେହେଲା ବଜାନ୍ତି ।

 

ଆଉ ଟିକେ ଆଗେଇଲେ ଆସିଯିବ ଚୌଧୁରୀ ବଜାର ।

 

ମୁମୂର୍ଷୁ ସନ୍ଧ୍ୟାର ପ୍ରାଣ ଛଟପଟ ଆକାଶର ମଇଳା ଶେଯରେ

ଏଇ ସେ ରିକ୍‍ସାରେ ଗଲେ ତାଙ୍କ ନାଁ ମୀନାକ୍ଷୀ ମହାନ୍ତି

ସମାଜମଙ୍ଗଳ ନେତ୍ରୀ, ଅଭିନେତ୍ରୀ ଏବଂ ସୁଲେଖିକା

ସତେ ଅବା ପାଣ୍ଡୋରା ସେ ବୁଣିଯାନ୍ତି ଭ୍ୟାନିଟି ବ୍ୟାଗରୁ

ଅସଂଖ୍ୟ ବିଷ ପତଙ୍ଗ ନିନ୍ଦା କୁତ୍ସା ଏବଂ କଳଙ୍କର ।

 

ବାଁ ହାତି ବୁଲ ଟିକେ ଯିବା ପରା ବହି ଦୋକାନକୁ

ନୂତନ ଗ୍ରନ୍ଥର ଗନ୍ଧ ପାଳଗଦା ମସିଷ୍କ ପ୍ରସୂତ

ବିଜ୍ଞାନ ଦର୍ଶନ ଏବଂ ଆଳୁଚାଷ କୁକୁଡ଼ା ପାଳନ ।

 

ଚରୈବେତି ! ଚରୈବେତି !! ଆଗେଇ ଚାଲ ଅଗ୍ରଗତି କର

ଆଃ ପାଟି କିଆଁ ଭାଇ ଆମେ କ’ଣ ଆଗେଇ ଚାଲୁନୁ ?

ଦେଖୁନା କିମିତି ଆମେ ଫୁଟ୍‍ବଲ୍ ଖେଳ ଦେଖୁ ଦେଖୁ

ଭଞ୍ଜ ମାନସିଂହ କାବ୍ୟ ଆଲୋଚନା କରୁ ଏବଂ ଶାସ୍ତ୍ରୀୟ ସଙ୍ଗୀତ

ଉପରେ ମନ୍ତବ୍ୟ ବାଢ଼ୁ-ଇଏ କ’ଣ ଅଗ୍ରଗତି ନୁହେଁ

ଆମେ କିଛି ଜାଣି ନାହୁଁ କେଉଁ ସଇତାନ୍ ଏୟା କୁହେ

ଟାଉନ୍‍ହଲ୍ ସଭାରେ ମୁଁ ଏ ସବୁର କେଫିୟତ୍ ଚାହେଁ ।

 

ଘରେ ଘରେ କଫ କାଶ ଶର୍ଦ୍ଦି ଜ୍ଵର ଚାଲ ଚାଲ ଏଇଠୁ ଫେରିବା

ଅନ୍ଧାର ଆସୁଚି ମାଡ଼ି, ରାସ୍ତାଯାକ ବିଜୁଳି ଆଲୁଅ

ତଥାପି ମାଡ଼ୁଛି ଡର ନାଲିଛକଯୁକ୍ତ ମଟରର

ଏତେ ଯିବା ଓ ଆସିବା, ପେଟ୍ରୋଲର ଗନ୍ଧ ଚମତ୍କାର

ଏଣ୍ଡୁଅ ଓ ବେଙ୍ଗର ବ୍ୟର୍ଥ ମୃତ୍ୟୁ ଏ ଯୁଗର ସହୀଦ୍ ସେମାନେ

ଟିନ୍ ଟିନ୍ ଚାଲ ଭାଇ ଗଡ଼ି ଚାଲେ ସାଇକେଲ୍ ମୋର

“ଅସଲି ଉଙ୍କୁଣୀମାରି ଚୂର୍ଣ୍ଣ ନେବେ ଆଶ୍ଚର୍ଯ୍ୟ ବିଜୁଳି ମଲମ ?”

ଥାଉ ଥାଉ ଧନ୍ୟବାଦ-‘‘ବାଟ ଛାଡ଼ ସୁଘଟନାଗର”

Image

 

ରବିନସନ୍ ନ୍ତ୍ରୁଶୋ

 

କାହିଁ ଦୂରରେ ସମୁଦ୍ର (ପାଣି ଆଃ ଥଣ୍ଡା ନେଳି ପାଣି !)

ଯିଏ ମୋତେ ଦୟାକରି ଫିଙ୍ଗି ଦେଲା ଆଣି ଏ ଦ୍ଵୀପରେ

ଭଙ୍ଗା ଡଙ୍ଗାରୁ କେତେକ, ଦୟାକରି, ସରଞ୍ଜାମ ଦେଲା

ଏବଂ କହିଲା ସେଠି ଘର କରି ରହିବୁ ଯାଆରେ ।

ଘର ମୋର କାହିଁ ଏଠି କ’ଣ ଅବା କିଛି ନାହିଁ

ଚାଞ୍ଚଡ଼ା ପଥର ଖାଲି କଣ୍ଟାବୁଦା ଓ ଧୂସର ବାଲି

ଚାଲିବାକୁ ରାସ୍ତା ନାହିଁ ଗପସପ କରିବା ପାଇଁକି

ଜଣେ ହେଲେ ସାଙ୍ଗ ନାଇଁ ଖାଦ୍ୟ ନାଇଁ ବଞ୍ଚିବି କିପରି ?

ଗଛ ବୋଲି ଗୋଟେ ନାଇଁ ଛାଇ ନାଇଁ ଖାଲି ନିଆଁ ଖରା

ଶୁଖିଲା ପତର ମୁଠେ ଏଣେ ତେଣେ ପବନରେ ଉଡ଼ି

ବର୍ତ୍ତମାନ ସଙ୍ଗେ ଆଣି ଯୋଡ଼ୁଚି ସେ ସାବ୍ଜା ସାବ୍ଜା ସ୍ମୃତି

ଯେ ଏଠି ଗଛବି ଥିଲା ପ୍ରାଣ ଥିଲା ଫୁଲ ଫୁଟୁଥିଲା ।

ପୁରୁଣା ତମାଖୁ ଆଉ ଜମା କିଛି ଭଲ ଲାଗୁନାଇଁ

ବାର୍ଲିମଞ୍ଜି ପୋତିଲେ ବି ଗୋଟେ ହେଲେ ଗଛ ଉଠୁ ନାଇଁ

ବର୍ଷା ନାଇଁ ଏଠି ସେଠି ଫାଟିଥିବା ଲବଣାକ୍ତ ମାଟି

ଏଡ଼େ ଏଡ଼େ ଦାନ୍ତ କାଢ଼ି ମୋ ଶ୍ରମକୁ ତାତ୍ସଲ୍ୟ କରୁଚି ।

ସମ୍ବିଧାନ ପରି ଏଠି ମାନିନିଏ ମୁଁ ନୀରବତାକୁ

ଓଃ ମୁଁ କି ନିଃସହାୟ ଏ ନିଷ୍ଠୁର କୟେଦୀଖାନାରେ

ଗୁଡ଼ାଏ ପଥର ବସି ଏଣୁ ତେଣୁ କ’ଣ କରୁଛନ୍ତି

ଧୈର୍ଯ୍ୟର ହୃଷ୍ଟପୁଷ୍ଟ ମେଣ୍ଢା ମୋର ଏଠି ବଳିପଡ଼େ ।

‘ଏ ଭାଇ ଶୁଣମ ଟିକେ’ କାହିଁ କେହି ଜଣେ ବି ଶୁଣୁନି

ଚାଲି ଚାଲି ଯାଉ ଯାଉ ସହରର ଏ ପିଚୁ ରାସ୍ତାରେ

ମନେ ହୁଏ ମୁଁ ଜଣେ ବାସଚ୍ୟୁତ ରବିନ୍‍ସନ୍ କ୍ରୁଶୋ ।

ଏକ ଦୁର୍ଘଟଣା ଯୋଗୁଁ ପହଞ୍ଚିଛି ନିର୍ଜନ ଦ୍ଵୀପରେ ।

ମୁଁ ଦେଖୁଚି ସେଇଠାରେ ସେ ନିଷ୍ଠୁର ବର୍ବରଗୁଡ଼ାକ

ଝୁଣି ଝୁଣି ଖାଉଛନ୍ତି ନିଜ ନିଜର ମାଂସ ଓ ହାଡ଼

ଆମେ ଖାଲି ମାଂସ ଖାଉ ଓ ଉଷୁମ କଞ୍ଚାରକ୍ତ ପିଉ

ଅଥଚ ଏ ହୁଳହୁଳି କାହିଁକି ଏ ମାଣବସା ଲକ୍ଷ୍ମୀ ଗୁରୁବାର ?

Image

 

ମେଘ

 

ଆକାଶର ଏ ପାରିରୁ ସେ ପାରିକୁ ଯାଉଛନ୍ତି ଭାସି

ଖଣ୍ଡ କେତେ ଧଳା ମେଘ ସତେ ଅବା ନର୍ସ କେତେଜଣ

ମେଡ଼ିକାଲ ବାରନ୍ଦାରେ ଦ୍ରୁତ ପଦେ କରୁଛନ୍ତି ଗତି

ଜରୁରୀ ଚିକିତ୍ସା ପାଇଁ ବେଦନାର୍ତ୍ତ ମୁମୂର୍ଷୁ ରୋଗୀର ।

 

ମୋ ଦେହରେ ଆଠାବନ ମସିହାର ଗୟା ଜିଲ୍ଲା ଖରା

ଅକାଳେ ପଡ଼ିଛି ଶୁଖି ଧାଡ଼ି ଧାଡ଼ି ଧାନର କିଆରୀ

ତୁମର ଓ ମୋ ଭିତରେ ଯେତେ ସବୁ ସମ୍ପର୍କ ନିବିଡ଼

ଅସ୍ପଷ୍ଟ ଅବୋଧ୍ୟ ଆଜି ବର୍ଣ୍ଣହୀନ ଧୂଆଁ ରେଖା ପରି ।

ଥୁଣ୍ଟା ବରଗଛ ପରି ଦ୍ଵିପ୍ରହରେ ମୁଁ ଆଜି ପ୍ରହରୀ

ଜଗି ବସେ ପୃଥିବୀକୁ ଆକାଶକୁ ନଈର ବାଲିକୁ

ମେଘ ଆସେ ‘ମେଘଦୂତ’ ଅବା କେଉଁ ପ୍ରାକୃତିକ ଭୂଗୋଳ ବହିରୁ

ଦୃଷ୍ଟି ସୀମା ପାର ହୋଇ ଭାସିଯାଏ ଦୂରରୁ ଦୂରକୁ ।

 

ଆଜି ମୁଁ ଦେଖନ୍ତି ଯଦି ସତେ ସତେ ଆଶ୍ଚର୍ଯ୍ୟ ଆଖିରେ

ସେ ମେଘ ରହିଛି ଜମି ଘର ପାଖ ପାହାଡ଼ ଛାତିରେ

ଓଦା ହୁଏ ତୁମ ଦେହ ତୁମକେଶ ଆଖି ନୀଳଶାଢ଼ି

ଓଠର ବାଲିରେ ତୁମ ମଣ୍ଡାଛତୁ ଫୁଟେ ଧାଡ଼ି ଧାଡ଼ି I

 

ଶ୍ରାବଣର କଞ୍ଚା ମେଘ ହେଉ ସିଏ ସଂବର୍ତକ, ଦ୍ରୋଣ ବା ପୁଷ୍କର

ସେ ମେଘରେ କେତେ ଜଳ ଛନ ଛନ ମନର କିଆରୀ

ଉର୍ବରତା ଜମେ ପୁଣି ତୁମ ଦେହ ସାହାରା ଉପରେ

କାଚ କେନ୍ଦୁ ପୋଖରୀରେ କୁନି କୁନି ଲାଞ୍ଜ ଛାଟେ ସ୍ୱପ୍ନର ସଫରୀ ।

 

ନିର୍ବାସିତ ଯକ୍ଷ ଆଜି କାନ୍ଦିପାରେ ଝରକା ପାଖରେ

କାଠଯୋଡ଼ି ନଈବୁକେ ପଞ୍ଚାବନ ବନ୍ୟା ଆସିପାରେ

ମୁଁ ମୋର ରହିବି ବ୍ୟସ୍ତ ତୁମ ଦେହ ତ୍ରସ୍ତ ଉପକୂଳେ

ହଜାଇ ଚେତନା ମୋର କଳାକେଶ ଗହନ ବୁଦାରେ

ନିଜକୁ ସନ୍ଧାନ କରି କଳା କଳା ମେଘର ଅନ୍ଧାରେ ।

Image

 

ଶ୍ରାବଣ

 

ପୃଥିବୀର ରେସ୍ତୋରା ରେ ପାଗଳିନୀ ବର୍ଷା

ନାଚେ ଫୁଲି ଫୁଲି ବ୍ୟାଲେରିନା ପରି

ଝଡ଼ର ସାମ୍ପେନ୍ ପିଇ ପବନର ସାଇଁ ସାଇଁ ଅର୍କେଷ୍ଟ୍ରା ଭିତରେ

ବିଳାସୀ ବନ୍ଧୁର ଓଠେ ଗୋଲଡ଼ଫ୍ଳେକ୍‍ ଜଳି ଜଳି ଶେଷ ହୋଇଆସେ

ମୋର ରୋଗ ଶଯ୍ୟା ପରେ ଜୀବନର ରୁକ୍ଷ ଛବି ଭାସେ ।

 

ଝରକାଟା ଖୋଲା ଆଉ ମୁଁ ଦେଖିବି ବର୍ଷାର ଏ ନାଚ

ଆଃ କେଡ଼େ ଥଣ୍ଡା ହାୱା କପାଳରେ ପାଣିର ଛିଟିକା

ଉଜ୍ଜ୍ଵଳ ଦିଶୁଚି ଦେଖ ମଳିମଖା ତୁମ ହାତ ଚୁଡ଼ି

ଅସୀମ ତୃପ୍ତିରେ ମୋର ନଇଁଆସେ ଭୀରୁ ଆଖି ପତା ।

 

ଛାତରୁ ଆମରି ଏଇ ଲାଉଡ଼ଙ୍କ ଖସିପଡ଼େ ଭାଙ୍ଗିପଡ଼େ ବାଡ଼ିର ପାଚେରୀ

ଇତସ୍ତତଃ ଝଡ଼ିଯାଏ ସମସ୍ତ ପାଖୁଡ଼ା ଆହା ପିଜୁଳି ଫୁଲର

ସଜନା ଗଛର ଡାଳ ଥରି ଥରି ମଡ଼ ମଡ଼ ଡାକେ

ଏଇ ତ ଭୁଷୁଡ଼ି ଗଲା କୁଡ଼ିଆଟା ସତୁରୀ ବର୍ଷର ବୁଢ଼ୀ କନକ ବୋଉର ।

 

ଯିବାର ଯେ ଯାଉଚାଲି ବାନ୍ଧିରଖି ଲାଭ କିସ କହ

ବର୍ଷା ଆଜି ବେଶି ହେଉ କୂଳ ଲଂଘି ନଈବଢ଼ି ଆସୁ

ମଇଳା ତା’ ଗାମୁଛାରେ ପୋଛିନେଉ ଘରବାଡ଼ି ଗଛ ଓ ମଣିଷ

ନିଶ୍ଚିହ୍ନ ମିଳାଇ ଯାଉ ଜୀବନର ପଞ୍ଜିକାରୁ ତିଥି ପକ୍ଷ ଯେତେ ବର୍ଷ ମାସ ।

 

ବାହାରେ ନାଚୁଚି ବର୍ଷା ଫୁଲି ଫୁଲି ବ୍ୟାଲେରିନା ପରି

ମୁଁ ଆଉ ପାରୁନି ଶୋଇ ପଡ଼ି ରହୁ ରୋଗଶଯ୍ୟ ଦୂରେ

ମୁଁ ଯଦି ପାରନ୍ତି ନାଚି ତାଣ୍ଡବର ତାଳ ଧରି ବିଷପାୟୀ ନୀଳକଣ୍ଠ ପରି

ମୁଁ ଯଦି ଯାଆନ୍ତି ଝରି ଥୋପା ଥୋପା ପୋଖରୀର ପଦ୍ମପତ୍ରେ

ପାହାଡ଼ର ପଥର ଉପରେ,

ମୁଁ ଯଦି ପାଶୋରି ଦିଏ ସଂକୀର୍ଣ୍ଣ ସମ୍ପର୍କ ଆମ ଚା’ ଆଉ କଫି ଟେବୁଲରେ

ହାୟ ହାୟ ମୁଁ ଯଦି ପାରନ୍ତି

ଖାତା ପତ୍ର ଚିରିଦେଇ ଏକମୁହାଁ ଦୌଡ଼ିଯାନ୍ତି ଏ ରାସ୍ତା ଉପରେ

ନିଜକୁ ସଂକୀର୍ଣ୍ଣ କରି ମିଶିଯାନ୍ତି ଏ ଜୋର୍ ବର୍ଷରେ ।

 

ତୁମେ ଯଦି ସାଥି ହେବ ତୁମେ ଯଦି ଶାଢ଼ି ଥୋଇଦେବ

ଦେହର ଗହଣା କାଢ଼ି ରଖିଦେବ ତୁମ ବାକ୍ସ ପେଟରା ଭିତରେ

ଭାରି ବେଣୀ ଖୋଲି ଦେବ, ଦୌଡ଼ିଆସ ପଡ଼ିରହୁ ଘର

ଜମା ଫେରି ଚାହଁ ନାଇଁ ଏଇ ଦେଖ ସମ୍ମୁଖେ ଆମର

ପତ୍ର ଫୁଲ ଝଡ଼ିଯାଏ ହୁଙ୍କାତଳୁ ବାଲିଛତୁ ଧୋଇ ହୋଇଯାଏ

ବେଙ୍ଗ ବଧୂ ଗୀତ ଗାଏ ପାଗଳିନୀ ବର୍ଷା ନାଚିଯାଏ ।

 

ରାସ୍ତା କଡ଼େ ଖୁବ୍ ପାଣି ନର୍ଦ୍ଦମାଟା ଫୁଲି ଉଠେ ବେଲୁନରେ ପରି

ଆମର ଏ ଓଦା ଦେହ ଓଦା କେଶ ଓଦା ମନ ଓଦା ଆଖିପତା

ବାହାରେ ବା କିଏ ଅଛି ସାଂଘାତିକ ଏ ଝଡ଼ ବର୍ଷାରେ

ଭୟ ନାଇଁ ମୁଁ ଅଛି (ଯଦିଚ ଦୁର୍ବଳ ଅତି ରୋଗ ଅତ୍ୟାଚାରେ) ।

 

କିମିତି ମାପିବି କହ କେତେ ପାଣି ଭାର୍ଗବୀ ନଈରେ

ଆମେ ସବୁ ଅତି ଛୋଟ ଆମେ ସବୁ ଛ’ ଇଁଚିଆ ସ୍କେଲ୍

ଯଦି ଅବା ଗର୍ବ କରି ଡେଇଁପଡ଼ୁ ବେଳେ ବେଳେ ସମୁଦ୍ର ପାଣିକି

ବାଣ୍ଟିଦେଉ ଆମ ମାଂସ କ୍ଷୁଧାତୁର ମଗର ତିମିକି ।

 

ଆଜିର ଶ୍ରାବଣ ଯଦି ଭୟାତୁରା ପୃଥିବୀ ଛାତିରେ

ଅନେକ ଶତାବ୍ଦୀ ଧରି ଏଇଭଳି ବର୍ଷୁଥାନ୍ତା ଉଛୁଳାଇ ଝଡ଼ ଓ ତୋଫାନ

ଜୀବନର ଚତୁର୍ବେଦ ଚୋରିକରି ପୌରାଣିକ ଶଙ୍ଖ ସୁର ପରି

‘ପ୍ରଳୟ ପୟୋଧି ଜଳେ’ ଗୀତ ବୋଲିବାର

ପାଇଁ କାହାର ବା ରହନ୍ତା ଅସ୍ଥାନ ?

ଚତୁର୍ଦିଗେ ଖାଲି ପାଣି ଖାଲି ଝଡ଼ ନାଚନ୍ତ ଶ୍ରାବଣ !!

Image

 

ତୁମରି ନିର୍ଜନ ଘର

 

ତୁମର ନିର୍ଜନ ଘର । ସାନ ଭାଇ ମହମବତୀର

ଆଲୁଅରେ ବହି ଖୋଲି ଖୋଜୁଚି ବା କୌଣସି ଛାଞ୍ଚୁଣୀ,

ଯିଏ କି ଓଳାଇ ନେବ କୁହୁଡ଼ି ତା’ସାମ୍ନାର ରାସ୍ତାରୁ

(ବିଜୁଳି କମ୍ପାନୀ ଲାଗି ଦୁଇଥର ଗାଳିଦେବା ପରେ)

ସାନ ଭାଇ ଜାଣିଚି କି ଆମ ରାସ୍ତା କି ଲମ୍ବା ଚଉଡ଼ା

କେତେ ଲମ୍ବା ଚଉଡ଼ା ବି କୁହୁଡ଼ି ଓ ଅନ୍ଧାରର ଦେହ

ଏଇମାତ୍ର ଚାଲିବା ସେ ଶିଖୁଚି ତ ବେଶ୍ ଭଲ ତା’ର

ଆଲୁଅରେ ମିଶିଥାଉ ସେଇ ଫୁଲ ଛାଞ୍ଚୁଣୀର ମୋହ ।

ତା’ପରେ ପଛର ରଖି ତୁମ ଯୋଡ଼ା ହାତ ନମସ୍କାର

ଚୂନ ଖସା କାନ୍ଥ ଦେହେ ଝିଟିପିଟି ଚୌକିର ଶୂନ୍ୟତା

କାଠଯୋଡ଼ି କୂଳେ ବସି ମୁଁ କଳ୍ପନା କଲି ଯେ ତୁମର

ସ୍ଵର ଉଡ଼ିଆସେ ଏବଂ ତାରାମାନେ ତା’ସୂତାରେ ଗୁନ୍ଥା ।

ଅଥଚ ମୁଁ ଦେଖୁଚି ସେ ମୁଁ ନିଜେ ହଁ ତୁମରି ସେ ଘର

ଆଲୁଅ, କଳ୍ପନା ସତ୍ତ୍ୱେ ମୁଁ ନିର୍ଜୀବ କଠିନ ବେଦନା

ତେଣୁ କେବେ ଯଦି ଆସେ ହାୱାର ତରଳ ସ୍ନେହ ଭାସି

ଧକ୍କା ଖାଇ ଫେରେ, ଶବ୍ଦ ବି ମୋ ନିଦକୁ ଭାଙ୍ଗି ପାରେନା ।

Image

 

ଆଖି

 

ତା’ ଆଖିପରି ଚପଳ ପବନରେ

ପଡ଼ିଆର ଚାକୁଣ୍ଡାଗଛମାନେ

ବେଶ୍ ହାତ ହଲାଇ ।

ନାଚରେ ମସ୍‍ଗୁଲ ।

ଛୋଟ ଛୋଟ କଞ୍ଚାପତ୍ରର ପାପୁଲିରେ

ଜହ୍ନର ହରଗଉରା ଛବି ।

ଆଉ ଏଇ ଚଢ଼େଇମାନେ

ଝିଲ୍ ମିଲ୍ ଶୂନ୍ୟତାରେ ଚକ୍କର କାଟି

ବୁଣି ଦେଉଛନ୍ତ କଅଁଳ ଗୀତର ମୁଠା ମୁଠା ଫଗୁ ।

ଅଥଚ ଏଇ ଦୂରର ବାରନ୍ଦାରେ,

ମୁଁ ଏକ ଧଳା କାନ୍ଥର ଆର୍ତ୍ତ ହାହାକାର

ମୋ ଆକାଶରେ ତାରାର ବିନ୍ଦୁ ଏ ବି ଲୁହ ନାଇଁ ।

ଦୁଇଟି ଛୋଟ ଡଙ୍ଗା ପରି

ସେ ଆଖି ଯଦି ଭାସି ଆସନ୍ତା

ସମୟର ଢେଉରେ

ଆଉ ଛୁଅଁନ୍ତା ମୋ ଦୃଷ୍ଟିର ଦିଗନ୍ତ ।

ସବୁତକ ନିଭା ଦୀପ ଜଳାଇ

ଖୋଜି ବସନ୍ତି

କଞ୍ଚା ନାଚର ଗନ୍ଧ ଓ ରଙ୍ଗର ଉଷ୍ମତା

ମୋର ଏଇ ଧୂସର ଛାତିରେ କଂପିତ ବେଳାଭୂଇଁରେ ।

Image

 

ବର୍ଷା

 

ଏ ପୁରୁଣା କୋଠାର କାନ୍ଥରୁ

ବର୍ଷା ଆଜି ଝରାଇଲା ମୁଠା ମୁଠା ଚୂନର ଆଳସ୍ୟ

ନିର୍ଜୀବ ଇଟାର ସବୁ ନିର୍ଲଜ ବ୍ୟକ୍ତିତ୍ଵ

ପଦାରେ ପଡ଼ିଗଲା ଓ ମୋ ନିଦର ଓଟ-ବେକ

ବର୍ଷା ଆଜି ମୋଡ଼ିଦେଲା

ବର୍ଷା ଆଜି ତେଜିଦେଲା ଏ ମନରେ ସ୍ମୃତିର ସଳିତା ।

 

ନିଛାଟିଆ ଖରାବେଳ ବୈଶାଖର ଯେତେ କାନ୍ଦ ଯେତେ ଉତ୍ତେଜନା

ନଈର ଶୁଖିଲାବାଲି ଝିଲିମିଲି ମୃଗତୃଷ୍ଣା ବାଟୋଇର ଶୋଷ ଭ୍ରମ କ୍ଳାନ୍ତି ଓ ବିରକ୍ତି

ତୃଷାତୁର ହରିଣର ଆଖିରେ ଆଖିରେ କ୍ରୂର ଗଧିଆର ଭୟ

ବର୍ଷା ଆଜି ବନ୍ଦକଲା ସବୁ ନେଇ କେଉଁ ସିନ୍ଦୁକରେ ।

 

ବିଚିତ୍ର ଚିତ୍ରକୂଟରେ ବର୍ଷା ଆଜି ନଇଁ ଆସେ...

ନବ ଦୂର୍ବାଦଳ ଶ୍ୟାମ ମେଘ ଆଜି ଘୂରିବୁଲେ ଆକାଶେ ଆକାଶେ

ଭଜ୍ଜୟିନୀ କଟକର ରାସ୍ତାଘାଟ ଓଦାହୁଏ......

 

ଆଉ ତୁମ କାନ୍ଧ ଚାରିପାଖେ

ପିଙ୍ଗଳ ବର୍ଣ୍ଣର ମେଘ

ହେ ମୋର ପିଙ୍ଗଳା

ନୂତନ ଘାସର ଗନ୍ଧ ସବୁଜ ଘାସର ଗନ୍ଧ

ପୁଣି ଥରେ ବର୍ଷାପରି ଓଦାକରେ ମୋ ମନର ସବୁରାସ୍ତା ସକଳ ଚେତନା

କାନ୍ଥେ ଯେତେ ଇଟାଚୂନ ଜୀବନରେ ଯେତେ ମୋର ଶଙ୍କା ଓ ଶୋଚନା ।

Image

 

ପ୍ରଥମ ସନ୍ଧ୍ୟାର ସ୍ଵର

 

ଏ ସନ୍ଧ୍ୟା ଚହଟିଯାଏ ଦେହେ ମନେ ଆକାଶେ ଆକାଶେ

ନାନାରଙ୍ଗୀ ଆଲୁଅର ଆଡ଼ମ୍ବର ଓ ରକ୍ତର ଲୁଣିଗନ୍ଧ ଆଉ

ମଉଳା ପଦ୍ମ ଉପରେ ଭଅଁରର ନିର୍ଲିଜ ଗୁଞ୍ଜନ

ପରିଚିତ ସନ୍ଧ୍ୟା ଆଜି ମୁକ୍ତି ଲୋଡ଼େ ବିକୃତ ସ୍ଵାଦରୁ ।

ସମୁଦ୍ର କାନ୍ଦୁଚି ହାୟ ମଥାପିଟି ବେଳାଭୂଇଁ ନିଷ୍ଠୁର ଦେହରେ

ବେଳାଭୂଇଁ କ’ଣ ମୃତ ନା ମୃତ୍ୟୁର ଛଳନା କରୁଚି ?

ତମେ, ମୁଁ ରମାନାଥ ଅଫିସରେ ସମସ୍ତେ ଯେମିତି

ବଡ଼ବାବୁଙ୍କ ଆଗରେ କଲିକ୍‍ର ଛଳନା କରନ୍ତି !

 

ବେଳାଭୂଇଁ ଦେଖା ଦେଖି ପବନ ଓ ସବୁଯାକ ତାରା

ଝାଉଁଗଛ, ହୋଟେଲ ଓ ଜୀବନର ସକଳ ଚେତନା

ଦେହର ଇନ୍ଦ୍ରିୟ ସବୁ ନିର୍ଜୀବ ଓ ସ୍ଥାଣୁ ସତେ ଅବା

ପାଷାଣୀ ଅହଲ୍ୟା କେଉଁ ଶ୍ରୀରାମଙ୍କ ଅପେକ୍ଷା କରନ୍ତି ।

ପାଷାଣରେ ପ୍ରାଣ କାହିଁ ? ପ୍ରାଣ ବିନା ଅପେକ୍ଷାର ସ୍ଥିତି

କିପରି ସମ୍ଭବ କୁହ ହେ ବାଲ୍ମିକୀ ଆହେ ବିଶ୍ଵାମିତ୍ର

ହେ ବିଜ୍ଞାନୀ କଇବର୍ତ୍ତ ! କିନ୍ତୁ ଗଲାବର୍ଷ ମୁଁ ଦେଖିଛି

ଅନୁପମା ଦାସ ଷ୍ଟେନୋ ମତେ କେତେ ଅପେକ୍ଷା କରିଛି ।

 

ତା’ ପ୍ରାଣ ମୁଁ ଆବିଷ୍କାର କରି ପାରିଲିନି ବହୁଚେଷ୍ଟା ସତ୍ତ୍ୱେ ଏବଂ

ଟାଇପ ମେସିନ୍‍ର ଶବ୍ଦପରି ତା’ ପାଟିର ପଦପଦ କଥା

ଏବେ ବି କାନରେ ବାଜେ ହେ ଶ୍ରୀରାମ ହେ ନୀଳ ସମୁଦ୍ର

କାନ୍ଦିବା ବିନା କି କ’ଣ ନାଇଁ ଆଉ ଜୀବନର ରାସ୍ତା ?

Image

 

ଦ୍ଵିତୀୟ ସନ୍ଧ୍ୟାରେ ସ୍ୱର

 

ନିର୍ଜନ ଘାଟୀ ରାସ୍ତା ପାରହୋଇ ନଇଁ ନଇଁ ସନ୍ଧ୍ୟା ଚାଲିଯାଏ

ସାଂସାରିକ ସୁଖ ପ୍ରତି ବୀତସ୍ପୃହ ବୃଦ୍ଧା ଜଣେ ସନ୍ନ୍ୟାସିନୀ ପରି

ନିହତ ରଙ୍ଗର କେତେ ଯନ୍ତ୍ରଣା ଓ ଆର୍ତ୍ତନାଦ ସାମନାରେ ଗୋଚର ଉପରେ

ପ୍ରତୀକ୍ଷାରେ ସ୍ୱପ୍ନ କାହିଁ ଜ୍ୟୋସ୍ନାସ୍ନାତ ରଜନୀଗନ୍ଧାର ?

 

ଆହତ ଚେତନା ନେଇ ସମୟର ନଇବାଲିପରେ

ବାଲିରେ ଗଢ଼ିବ ମୂର୍ତ୍ତି ଆଜି ଯଦି ମେଘ ଆସେ ବର୍ଷା ଝରିପଡ଼େ

ଘାସ ନରମ ତୁମର ଆଖି ପିତା ତଳେ ଖୁନ୍ଦି ମେଘର କାମନା

ତୁମରି ଆସିବା ସ୍ଵପ୍ନ ଆଜି ଯଦି ଫଳବତୀ ହୁଏ ବା ନହୁଏ

 

ତେବେ ମୁଁ ତ ମଲି ଯେଣୁ ଦିନସାରା ବୁଲି ବୁଲି ପକ୍ଷୀ

ଫେରିଚି ଆପଣା ନୀଡ଼େ ଏବଂ ମତେ ତାତ୍ସଲ୍ୟ କରୁଚି

ସନ୍ନ୍ୟାସିନୀ ହୋଇ ସନ୍ଧ୍ୟା ମୋ’ ପାଖରୁ ଦୂରେଇ ଯାଇଚି

ତେଣୁ ବରଂ ସ୍ୱପ୍ନ ବୋଲି କିଛି ହେଲେ ନ ରହୁ ମନରେ

 

ପୁଣି ବିଚିତ୍ର ବାଦୁଡ଼ି ଆକାଂକ୍ଷାର ଗାରକାଟି ଅନ୍ଧାରୁଆ ପବନରେ ଉଡ଼େ

ବାରନ୍ଦାର ଚଉକି ସିଗାରେଟ ନିଆଁ ଜଳେ ଅଦୃଶ୍ୟ ଓଠରେ

Image

 

ତୃତୀୟ ସନ୍ଧ୍ୟାର ସ୍ୱର

 

କେଜାଣି କି ପକ୍ଷୀ ଦଳେ ଉଡ଼ିଗଲେ ବୟସର ରୁମାଲ ଉଡ଼ାଇ

ଗଡ଼ାଣିରେ ଧୂଳି ଆଉ ଚାଲି ଚାଲି ହାଲିଆ ସେ ଛୋଟ ଝିଅଟିର

ଝାଳରେ ଝରୁଚି ଦିନ । ତା’ ବାପର କାନମୂଳ ଯାକ

କୁହୁଡ଼ି ଅଥବା ମ୍ଳାନ ଜଞ୍ଜାଳ ସେ ସୁଦୂର ହାଟର ।

ବିଲରେ ମୁଗର ଫୁଲ ଝୁଲି ଝୁଲି ଥଟ୍ଟାକରେ ତାଳ ଗଛଟାକୁ

ଚାରିଆଡ଼େ ପବନର ବେଗବାନ୍ ମାଂସଳ ଆବେଗ

ଓଦା କରି ଓ ଜିଆଁଇ ପୋକଗୁଡ଼ା ସୂର୍ଯ୍ୟର ଶୋଣିତ

ଡାଲରୁ ଡାଲକୁ ଗଡ଼ି ଝରିପଡ଼େ ବେତବୁଦା ମୂଳେ ।

ମୁଁ ଚେଷ୍ଟା କରିଚି କେତେ ରୁମାଲ୍‍ର ଖୋଜିବାକୁ ବେଳ

ଯେତେବେଳେ ଶୁନ୍‍ଶାନ୍ ଘରଟିରେ ଗୋଲାପ ବଣରେ

ବୀଣାର ତାରକୁ ମନ୍ଥି କେ’ ଚିପୁଡ଼େ ରକ୍ତର ଓଡ଼ିଶୀ

ମାଂସର କାଦୁଅ ଏବଂ ଲବଣାକ୍ତ ଝାଳର ଗନ୍ଧରେ ।

 

ବେତବୁଦା ମୂଳେ ଯେଉଁ ଚକ୍ ଚକ୍ ବିରାଟ ଦର୍ପଣ

ସନ୍ଧ୍ୟା ସେଠି ମୁହଁ ଦେଖେ, ମୁଁ ହ୍ରଦର ଚାରିପାଖେ ବୁଲି

ସହସ୍ର ପ୍ରତିବିମ୍ୱର ହାତଠରା ଆଖିମରା ଦେଖି

ନିଜର ସ୍ୱରୂପ ନେଇ ଲୁଚାଇଲି ନିଜର ଭିତରେ ।

 

ଆହା ଏବେ ଗଡ଼ାଣିରେ ଗୋଡ଼ ମୋର ଖସିଗଲାବେଳେ

ମୁଁ ଖୁବ୍ ପ୍ରଶଂସା କରେ ଛୋଟ ଝିଅଟିକୁ ତା’ ଗୋଡ଼ର

ଚାରିପାଖେ ଘୂରି ଘୂରି କ୍ଳାନ୍ତ ହୁଏ ସମୟର ଚକ

କାରଣ ଘରକୁ ଗଲେ ସେଇ ଭୋଗେଇରେ ମୁଢ଼ି ଓ ମାଆର ବୋକ

Image

 

ଅନ୍ୱେଷଣ

 

ତୁମ ପାଖରେ

ମୋର ଅପଭ୍ରଂଶ ପୌରୁଷପରି

ପବନ ଆଜି ଚପଳ ।

ହଠାତ୍ ଶରବଣର ମର୍ମର ଧ୍ଵନିର ସିଡ଼ିରେ

ଓହ୍ଲାଇ ଆସିଲା ତାରାଟିଏ

ଏକ ଚମତ୍କାର ଉଜ୍ଜ୍ୱଳ ତାରା

ଯାହାର ଅପରିଚିତ ଚେହେରାରେ

ଅନ୍ୟ କେଉଁ ଆକାଶ ଅନ୍ୟ କେଉଁ ସାଗରର

ନୀଳ ସବୁଜ ସମନ୍ଵୟ ।

 

ମୁଁ ଚମକି ପଡ଼ିଲି.....

ଏଇ କେତୋଟି ଘଣ୍ଟା ଆଗରୁ

ଯେଉଁ ସନ୍ଧ୍ୟାଟି ଚାଲିଗଲା

ତାର ତ୍ରସ୍ତ ନୀଳ ଆଖିରେ ମୁଁ ଦେଖିଥିଲି

ଏକ ଉଦାସ ସଂଗୀତର ଆସନ୍ନ କାର୍ଯ୍ୟକ୍ରମ ।

 

ତଥାପି ମୁଁ ତୁମ ଦେହର ପରିଧିରେ

ସାଗର-ବିହଙ୍ଗ ପରି

ନିର୍ବିଘ୍ନ ଚକ୍କର କାଟି

ଫେରି ଆସି ପାରିଥିଲି ନିଜ ପାଖକୁ ।

 

ଏତେବେଳେ

ମୁଁ ଯେମିତି ଏକ ମର୍ମରହୀନ ଶରବଣ

ତାରାର ପାହାଚମାନ ବାହ ବାହି

କୁଆଡ଼େ ? କେଜାଣି ।

Image

 

ଆତ୍ମଲିପି

 

ସକାଳୁ ସକାଳୁ ଆଜି ପାଗ ଭାରି ରୋମାଣ୍ଟିକ୍ ଥିଲା

ଆକାଶରେ ଭରା ମେଘ ଚାରିଆଡ଼େ ଓଦା ଓଦା ଛାଇ

ସୂର୍ଯ୍ୟର ତୀକ୍ଷଣତାଠାରୁ ସି. ଏଲ ଆଣି ମୋ ନିସ୍ତେଜ ମନ

ଗରମ କମ୍ଵଳ ତଳେ ନିର୍ବିଘ୍ନରେ ହାଇ ମାରୁଥିଲା ।

ଏତେବେଳେ ହଠାତ୍ ଆସି ପହଞ୍ଚିଲେ ବାନ୍ଧବୀ ନମିତା

ବିଜୁଳି ଆଲୁଅ ପରି । ମୋହ ଦେହର ସୁଇଚ୍ ଅନ୍ କରି

ମୁଁ କହିଲି “ଏଇ ଦେଖ, ଗଲା ରାତି ଜହ୍ନ ଆଘାତରେ

ମୋ ମନର କେତେ କ୍ଷତ ମୂର୍ଚ୍ଛାହତ ବିବର୍ଣ୍ଣ ତାରାର ।”

 

ସେ ହସିଲେ । ତାଙ୍କ ହସ ସରିବାକୁ କିଛି ବାକି ଥିଲା

ମୁଁ କହିଲି “ଦେହ ମୋର ଭଲ ନାହିଁ, ଭୁଲିଯାଅ ତମେ

ମୋ ପାଖରୁ ନେଇଯାଅ ଉଦବେଗ ଓ ଆଶଙ୍କା ଓ ଲୋଭ

ସୃଷ୍ଟିର ବିସ୍ମୟ ପାଇଁ ମୋର ଟିକେ ଉତ୍ତେଜନା ନାହିଁ ।”

ତା’ପରେ ସେ ଚାଲିଗଲେ ହଜିଗଲେ ମେଘ କିମ୍ବା ଲୋକ ଗହଳିରେ

ମୁଁ ବେକୁବ୍ ସୁନାପିଲା ସବୁବେଳେ ସରବତ୍ ଖାଇ

ଆତ୍ମା ଥଣ୍ଡା କରିପାରେ । କିଏ ଏତେ ହଇରାଣ ହେବ

ଚା’ ପିଇ ତା’ସାଙ୍ଗରେ ଗୁଣଗାଇ ଚା’କମ୍ପାନୀର ?

Image

 

ଆଶ୍ଵିନ

 

ସମୟର ରେଜା କିଛି ପକେଟରେ ନେଇ

ତେବେ ଆମେ ଚାଲ ବୁଲିଯିବା ।

ବାଟେ ଘାଟେ ଟହଲ ମାରୁଚି

ଗଙ୍ଗଶିଉଳିର ୠତୁ ଅଳସ ହାୱାରେ ।

 

ଚାଲ ଆମେ ବୁଲିଯିବା

ନଈକୂଳ ଆଡ଼େ

ଅବା ଦୂର ଗାଆଁ ପୋଖରୀର

କଇଁଫୁଲ ଦାଢ଼େ ଦାଢ଼େ

ଆକାଶର ନେଳିରେ ନେଳିରେ,

ଅବା ଚାଲ ଓହ୍ଲାଇବା

ଛୋପରି ମାଛ ଆଖିର

ମର୍ମର ପାହାଚରେ

ଡେଇଁବା, ଝୁଲିବା

ଛଳ ଛଳ ଢେଉର ଦୋଳିରେ ।

 

ତୁମେ ଯଦି ହଜିଯାଅ

ଅକସ୍ମାତ୍ କଅଁଳ ବାଲିରେ

ତମେ ଯଦି ଲୁଚିଯାଅ

ଅକସ୍ମାତ୍ ଗଙ୍ଗଶିଉଳିରେ

ମୋ ଚେତନା ସ୍ତବ୍ଧ ହୁଏ ଉଦାସ ସଞ୍ଜରେ ।

 

ସମୟ କି ନିଷ୍ଠୁର, କରୁଣ !

ରେଜା ସବୁ ତାରା ହେଲେ ଭ୍ରାନ୍ତ ଆକାଶରେ ।

ଅନ୍ଧାରର ସାପ

ତମକୁ ଫେରାଇ ଆଣେ ।

 

ଦାନବୀର ହରିଶ୍ଚନ୍ଦ୍ର ମେଘ

ତାରାର ଆଲୁଅ ନେଇ

ଜଗିରହେ ଅନ୍ଧାରର ନିର୍ଜନ ପ୍ରାନ୍ତରେ ।

Image

 

ବର୍ଷା ପରେ

 

ନିଜକୁ ନିଃଶେଷ କରି ମେଘ ମୁହଁ ଶେତା ପଡ଼ିଗଲା

ସଞ୍ଜର ଏ ନଈକୂଳେ ନିଛାଟିଆ ଆକାଶୀ ବେଞ୍ଚରେ

ବସି ଏତେ କାନ୍ଦିବାର କଣ ଅବା ଦରକାର ଥିଲା

ଏତେ ଆଖି ଓଦା କରି ମେଘ ଅବା କି ସୁଖ ପାଇଲା ?

 

ଯାହା ତା ପାଖରେ ଥିଲା ସେଇତକ ପୁଞ୍ଜି କରି ମେଘ

ବେଶ ବୁଲି ପାରିଥାନ୍ତା ଆକାଶର ଚଉଡ଼ା ରାସ୍ତାରେ

ସେ ଉଦାସୀ କନ୍ୟାଟିର କବରୀର ଗର୍ବ ଚୂନା କରି

ସାତଟା ସମୁଦ୍ର ସାଙ୍ଗେ ନିର୍ବିଘ୍ନରେ ଭାବଦୋସ୍ତି ସାରି ।

 

ଯାହା ତ ହେବାର ହେଲା-ଓଦା ଗଛ ଟପ୍ ଟପ୍ କରେ

ଅଳସୁଆ ଚେତନାରେ ଓଦା ଯେତେ ଛାଇର ମହକ

ଶୂନ୍ୟତାରେ ଭରି ଦିଏ ଭଡ଼ାଘର ପରି ମୋର ମନ

କାହିଁ ଛିଣ୍ଡା କାଗଜ ଓ ଝଡ଼ାପତ୍ର ମୋ ରାସ୍ତା ଉଚ୍ଛନ୍ନ ?

 

ହେ କୁନି କଣ୍ଢେଇମାନେ ! ସାନ ସାନ ବିସ୍କୁଟ୍ ପରି

ପାଦ ହାତ ଓଦା କରି ଚବ୍ ଚବ୍ ଗୋଳିଆ ପାଣିରେ

କଥାର କାକଳି ସବୁ ଗୋଳି ଗୋଳି ମସ୍‍ଗୁଲ ହେଲ

ତମେ କଣ ଏ ମେଘକୁ ମତେ ଆଉ ଏ ରାସ୍ତାକୁ ପୁଣି ଥରେ ପୂର୍ଣ୍ଣ କରିପାର ?

Image

 

ଅପ୍ରିୟ

 

ପତ୍ର ସବୁ ଝଡ଼ିଯାଏ ଗୋଟି ଗୋଟି କ୍ଳାନ୍ତ ଦିବସର-

ପଦ ଚିହ୍ନ ନିଭିଯାଏ (ଇତିହାସ ମିଛର ବଡ଼ିମା)

କର୍ମଠ ପିମ୍ପୁଡ଼ି ଦଳ ଟାଣିନିଏ ପୋକର ମୁର୍ଦ୍ଦାର

‘ସ୍ନେହର’, ‘ପ୍ରିୟତମାସୁ’, ଭର୍ତ୍ତିକରେ ବିସ୍ମୃତିର ମୃତ ପତ୍ରାଗାର ।

 

ଅଯଥା ଆକ୍ଷେପ ତୁମେ କର ଯଦି ଅବିଶ୍ୱାସ୍ୟ ବିଶ୍ୱାସ ଉପରେ

ଧୂଳି ଉଡ଼ା ବନ୍ଦ ହେବ ନା ଏ ସବୁ ତଳେ ପଡ଼ିଥିବା

ପତ୍ରଯାକ ଉଠି ପଡ଼ି ନିଜ ନିଜ ଗଛେ ଲାଗିଯିବେ ?

ଏକାକୀ ବିତାଇ ପାର ସନ୍ଧ୍ୟାଟିଏ କାଠଯୋଡ଼ି ସିମେଣ୍ଟ ବେଞ୍ଚରେ ।

 

ଦୁଧ ଦହି ଠେକି ସବୁ ଭାଙ୍ଗିଯାଏ ଯମୁନାର ପାଣି ଶୁଖିଯା ଏ

ଆଶ୍ଚର୍ଯ୍ୟର ପ୍ରଶ୍ନ ନାଇଁ ଡଙ୍ଗା ନାଇଁ ନାଉରୀ ବି ନାଇଁ

ବଂଶୀ ନାଇଁ ସ୍ୱର ନାଇଁ ବିନୋଦିଆ କୃଷ୍ଣ ବି ନାହାନ୍ତି

ପ୍ରସୂତି-ଭବନ ବେଡ୍ ଅନିଦ୍ରାରେ ମାରୁଥିବ ହାଇ ।

 

ମାନୁଚି ମୁଁ ତୁମ ଦେହେ ବସନ୍ତର ଫୁଲଫୁଟା ବେଳ

ପନ୍ଦରଟି ଟଙ୍କା କିନ୍ତୁ ଆଣିଦିଏ ସପ୍ତାହରେ ସାତଟା ରୁମାଲ୍ ।

Image

 

ପ୍ରଥମ ରାତିର ରଙ୍ଗ

 

ହଠାତ୍ ତାରାର ଦୀପ ନିଭିଗଲେ ଅନ୍ଧାରରେ କାହାର କାନ୍ଦଣା

ଗୁମୁରି ଗୁମୁରି ଉଠେ ଝାଉଁବଣ ଗହଳି ଭିତରେ

ସମୁଦ୍ର କହେନା କଥା ଢେଉ ସବୁ ଚୁପ୍‍ଚାପ୍‍ ଠିଆ

ଶାମୁକାର ମୁହଁ ଦେହ ଅଚାନକ ନେଳି ପଡ଼ିଯାଏ ।

ଏ କେଉଁ ଆଶ୍ଚର୍ଯ୍ୟ ଦେଶ ? ସିନେମାର ପୋଷ୍ଟାର ଦେହରୁ

ଛାଡ଼ିଚି ସମସ୍ତ ରଙ୍ଗ କଲେଜର ପଶ୍ଚିମ କାନ୍ଥରେ

ହୁଏତ ବୁଲାକୁତୀର ଛାତିହାଡ଼ ପିଞ୍ଜରା ଭିତରେ

ଜୁଳୁ ଜୁଳୁ ଚାହୁଁଥିବ ଦରନିଭା ଆଲୁଅର ପକ୍ଷୀ ।

ତୁମ ନାଁ ଭୁଲି ହୁଏ ଅନ୍ଧାରର କାନ୍ଦଣା ଭିତରେ

ବେଳାଭୂଇଁ ପୋଛିଦିଏ ସବୁ ଚିହ୍ନ ପବନରେ ଧୋଇ

ନିଛାଟିଆ ବାରନ୍ଦାରେ ଜହ୍ନରାତି ଦିଏ ଉପହାର

ନେଲି ଶାମୁକାରେ ଥୋଇ ଖୁବ୍ ଫିକା ତୁମରି କଙ୍କାଳ ।

ରାତି ଯଦି ଫେରିଯାଏ ଲମ୍ବା ପାହୁଣ୍ଡ ପକାଇ

ହଠାତ୍ କାନ୍ଦଣା ଯଦି ସମୁଦ୍ରରେ ମିଶିଯାଏ ତରଳି ତରଳି

ଆକାଶୁ ନିଗିଡ଼ି ପଡ଼େ ସବୁତକ ଉଦାସୀ କାକର

ମୁଁ ଆସ୍ତେ ଲଗାଏ ଓଠ ତମରି ସେ କଙ୍କାଳ ମୁହଁରେ ।

Image

 

ଦ୍ୱିତୀୟ ରାତିର ରଙ୍ଗ

 

ଚାରିଆଡ଼ ଶୂନ୍‍ଶାନ୍‍ ଅଗାଅଗ୍ନି ବନସ୍ତ ସତେ କି

ନିବୁଜ କୋଠରୀଟିରେ ଅବସାଦ ନିରାଶାର ମଶା

ସମୟର ଅଭିନୟ କରେ

ମୂର୍ଚ୍ଛାହତ ଚେତନାରେ ଡାକଛାଡ଼େ ସପନର ନିଶା ।

 

ଅଗଣାର ଆକାଶରେ ଯେ କେତୋଟି ତାରା ନିଭେ ଜଳେ

କେବଳ ଦେଖାଏ ମତେ ଦେବଦାରୁ ଗଛରୁ କେତୋଟି

ହଳଦିଆ ପତ୍ର ଝରିଗଲା

ଉଦାସ କାନ୍ଦଣା ନେଇ ଦୂରାନ୍ତରୁ ବାହୁଡ଼ି ଫେରିଲା ।

 

କରୁଣ ଅନ୍ଧାର ବୋଲି ଦେହଯାକ ମୁଁ କାହାର ଭ୍ରାନ୍ତ ଅପେକ୍ଷାରେ

କୁହୁଡ଼ି ତା ବାଟହୁଡ଼ି ଢୁକିଲାଣି ମନର କ୍ଷେତରେ

ସବୁ ଯେ ରହସ୍ୟମୟ ଆଧୁନିକ ଚିତ୍ରକଳା ପରି

ମିଶିରି ଗିଲାସ ଆଡ଼େ କ୍ରମାଗତ ପିମ୍ପୁଡ଼ିର ଧାଡ଼ି ।

 

ନୀରବ ଭୂମିକା ପରେ ପୃଥିବୀର ବିଚିତ୍ର ଏ ସ୍ଥିତି

କାନ୍ଥ ଘଡ଼ି ଆତଙ୍କିତ ଦେଖି ମୋର କ୍ଷୟ ଆଉ କ୍ଷତି ।

Image

 

ଅଭିନେତ୍ରୀ

 

ନା, ସେ ତ ଚତୁର ନୁହେଁ ଇନ୍ଦ୍ରଧନୁ ବୁଣିଦେଇ ଯିଏ

ହଜିଗଲା କେଉଁଆଡ଼େ । ଆକାଶରେ ତାର ପିପାସାର

ରଙ୍ଗ ଜଳେ ଶିଖା ତୋଳି । ହାୟ ହାୟ ସେ କଣ ଜାଣୁଚି

ସେ ନିଆଁର ଆଲୋକରେ ମୁହଁ ମୋର କେମିତି ଉଜ୍ଜ୍ଵଳ ।

 

ପ୍ରଚୁର ଭତ୍ତାପ ନେଇ ଉତ୍ତାପର ସମସ୍ତ ଗ୍ଳାନି ମୁଁ

ପୋଡ଼ି ଦେଇ ସେ ନିଆଁରେ ଆତ୍ମହରା ହସର ପଳାଶେ

ଲେଖିଲି ପ୍ରଶଂସା ତାର । ମୋ ଡାକରେ ତାର କ୍ଷୀଣ ସ୍ମୃତି

ଇଜ୍ଜାବତୀ, ମୁହଁ ପୋତି ବସିଗଲା ଅଦୃଶ୍ୟ ଆକାଶେ ।

 

ମୋ ଋତୁ ବିଫଳ ତେବେ ? ସ୍ତନ୍ୟକ୍ଷରା ତିଥିର ଗୁଞ୍ଜନ

ମୃତ । ହାୟ ଭିନ୍ନଦେଶୀ ଦ୍ଵିପ୍ରହର ବେଳା

ଏକାକୀ ପକ୍ଷୀର ଡାକ ଝଡ଼ାପତ୍ର ବିଷଣ୍ଣ ଚେତନା ।

 

ଚମତ୍କାର ଅଭିନୟ । ବକୁଳର ଗନ୍ଧରେ ପଖଳା

ଦୁଇଟି ମର୍ମର ହାତ ମୋ ଦୃଷ୍ଟିକୁ କରେ ଆଲିଙ୍ଗନ

କେଉଁଠାରେ ଇନ୍ଦ୍ରଧନୁ, ଆଗେ ମୋର ନିଭୃତ ବେଦନା !

Image

 

ସ୍ମୃତି ! ତୁମେ...

 

ସ୍ମୃତି ! ତୁମେ ମୁଖଶାଳା । ତୁମ ଛାଇ ଆଲୁଅର ହିଡ଼

ପାରି ହେଲେ ଧାନ କ୍ଷେତ, ଓସ୍ତଗଛ, ଫୁଲର ଅନ୍ୱୟ

କିଶୋରୀର କାନ ପାଖେ ଛୋଟ ଛୋଟ କଥାର ଧୃପଦୀ

ଲୋଚାକୋଚା ସପନର ଆଦରିଣୀ ବେଦନା, ବିସ୍ମୟ ।

 

କଇଁଫୁଲ ପୋଖରୀର ତାରା ଭରା ଉଦାର ଆକାଶ

ନିଛାଟିଆ ଦି’ପହର ତୋଟାମାଳେ ଚଢ଼େଇର ଡାକ

ଅଲାଜୁକ ପବନର ଦେହଘଷା ଥଟ୍ଟା ପରିହାସ

ତାପରେ ହୃଦୟଭରା ପ୍ରାଣମୟ ଶାନ୍ତିର ପ୍ରତୀକ ।

 

ତୁମେ ଯେବେ ଭୁଲ୍ ବୁଝ ସଳିତାରୁ ତେଲ ସରିଯାଏ

ଅଚାନକ ବିଜନତା ମାଡ଼ିଆସେ କଳା ନାଗ ପରି

ଘୋଷାରି ଘୋଷାରି ପାଦ ଦି’ ପାହୁଣ୍ଡ ଆଗକୁ ଚାଲିଲେ

ଅଭୟ ବାଣୀ ବା ଶୁଭେ ପ୍ରତିକାର ତୁମେଇ ତୁମରି ।

 

ଏକୁଟିଆ ଧାଇଁ ଧାଇଁ ଗୋଟାଇଛି ଯେତକଟି ଦିନ

ସୃତି, ତୁମେ ମହୀୟସୀ ସକଳେ ତ ତୁମରି ସନ୍ତାନ ।

Image

 

ଆଜିର ଶୂନ୍ୟତା ପରି

 

ଆଜିର ଶୂନ୍ୟତା ପରି ଓଜନିଆ ବସ୍ତାଟେ କେବେ ମୁଁ

ବୋହିନାଇଁ ଜୀବନରେ ଝାଳନାଳ ସ୍ଵୀକୃତି ବ୍ୟତୀତ

ପୃଥିବୀରେ କାବ୍ୟ ନାହିଁ । କ୍ଷମ ହୀନ ଚୁଆ ଓ ଚନ୍ଦନ

ଅସମ୍ଭବ ତରୁଣୀର ଶାନ୍ତ ସୁସ୍ଥ ବକ୍ଷରେ ଲେପିତ ।

 

ଯେ ଦିନୁ ଭଣ୍ଡାରୀପରି ଛତା ପୋତି ଗଳ୍ପ ଶୁଣିବାର

ଇଚ୍ଛାକୁ କରିଚି ମୋର ହାୱାନିର ନିରସ୍ତ୍ର ବୋତାମ

ମୁଁ ହାରିଚି ଅଶ୍ଵପୃଷ୍ଠେ ଘାସ ଆଉ ବାଘର ବର୍ଚ୍ଛାରେ

ସାମ୍ନା ଦର୍ଜା ବନ୍ଦ କରି ମୁଁ ଘୋଷିଚି ମୋ ନିଜର ନାମ ।

କାଠଯୋଡ଼ି ବନ୍ଧଆଡ଼େ ବାଦୁଡ଼ିର ବଅସିଆ ଡେଣା

ପଥର ବନ୍ଧ ଉପରେ ନିଜ କାନ୍ତି ଖୋଦେଇ କରୁଚି

ଧ୍ୱନିରେ । ଚଇତ୍ର ବୋଲି କିଏ ସିଏ କବାଟରେ ହାତ

ମାରି ମାରି ଚାଲିଗଲା ପରିଚୟ ନ ଜାଣି ଜିହ୍ଵାର ।

Image

 

ସମୁଦ୍ର ଓ ମୁଁ

 

ଆଜି ପୁଣି ଆଉ ଥରେ ସମୁଦ୍ରର ହାବୁଡ଼ରେ ପଡ଼ି

ଢେଉର ଗୋଇଠା ଖାଇ ତୁଛାଟାରେ ହନ୍ତସନ୍ତ ହେଲି

ବାଲିରେ ଗଢ଼ିଲି ମୂର୍ତ୍ତି ମୁଁ ବିବ୍ରତ ବିଶୁ ମହାରଣା

ଶିପ ଶାମୁକାରେ ଭର୍ତ୍ତି ପକେଟ୍‍କୁ ରୁମଝୁମ୍ କଲି

କିଛି ତ ଶୁଣିଲା ନାହିଁ ଏ ସମୁଦ୍ର ଏଡ଼ିକି ଚଗଲା

ଧର୍ମପଦ ପରି ମୋର ବଡ଼େଇକି ଚୂନା କରିଦେଲା ।

 

ହୋଟେଲ୍‍ର ଦି’ପହର ଲନରେ ସ୍ୱାସ୍ଥ୍ୟବତୀ ଖରା

ପଡ଼ିଶା ରୁମରେ ଚିହ୍ନା ଯୁବତୀଙ୍କ ଗୁଣୁଗୁଣୁ ଗୀତ

ସିଗାର୍, ଏମିଲି ଜୋଲା ସବୁ ଛାଡ଼ି ସମୁଦ୍ରର ଡାହାଣୀ ଡାକରେ

ମୁଁ ଆସିଲି, ନିଛାଟିଆ ଆକାଶ ଓ ଶୂନ୍‍ଶାନ୍‍ ଯେତେ ବାଲିବନ୍ତ

ଟ୍ରାଉଜର୍ ଓଦା କଲି । ଟିକି ଟିକି କଙ୍କଡ଼ା ଆଖିରେ

ମୁଁ ଖୋଜିଲି ମୋର ଠାଣି ମୋ ଅତୀତ ମୋର ପରିଚୟ

ଆମ ବାଡ଼ି ବରକୋଳି ମୋ ନିହଣ ମୋର ବିପର୍ଯ୍ୟୟ ।

 

ସମୁଦ୍ର ଗରଜି ପାରେ ବାଘ ପରି ଧଳା ପଟା ପଟା ତା’ର ଦେହ

ସେ ବି ତ ଛଡ଼ାଇ ନିଏ ମୋ ପାଖରୁ ଗାଧୁଆ ସାଂଗକୁ

କିନ୍ତୁ ସେ ପାରେ ନା ଜାଣି କିପରି ସେ ନିଜକୁ ଭାଂଗୁଚି

କିପରି ସେ ଥୁ ଥୁ ହୋଇ ଫିଙ୍ଗା ହୁଏ ସାନସାନ ପିଲାଙ୍କ ଓଠରୁ

କିପରି ସେ ମୋ ଦୁଃଖକୁ ଫୁଟାଉଚି ଫୁଲକରି ନିଜର ମୁଣ୍ଡରେ

କିପରି ସେ ମୋ ନାଆଁକୁ ଘୋଷୁଥାଏ ବିଭିନ୍ନ ଶବ୍ଦରେ

ସମଗ୍ର ପୌରୁଷ ମୋର ବିମ୍ବିତ ତା ନିଲଠା ମୁହଁରେ ।

(କଟକ ଆକାଶବାଣୀ ସୌଜନ୍ୟରୁ)

Image

 

ସାମାନ୍ୟ କଥନ

 

ପତ୍ରମାନେ ଓଦା ଏବଂ ପତ୍ରମାନେ ଜଳୁଛନ୍ତି ଜହ୍ନ ଆଲୁଅରେ

ପ୍ରଜାପତି ହେବା ଆଗୁଁ ସାଁବାଳୁଆ ଯେଉଁପରି ଜଳେ

ଏସନ ଜଳିବା ଢଙ୍ଗ ପତ୍ରମାନେ କେଉଁଠୁ ଶିଖିଲେ,

ଏ ବିକୃତ ଇଛାଗଣ ଅକସ୍ମାତ୍ କେଉଁଠୁ ଆସିଲେ ?

ଅଥଚ କଣ ହେଲା ସେ ଇଚ୍ଛା ? ପତ୍ରମାନେ ଜଳିବା ବ୍ୟତୀତ

ଆଉ କିଛି କରନ୍ତେ କି ଅବା କିଛି କହନ୍ତେ ନ ହେଲେ

ଖାଲି ଯାହା ଘରଯାକ ଘୂରିବୁଲେ ଫିସ୍ ଫିସ୍ କଥା

ଏବଂ ସେ ପତ୍ରଙ୍କ ଛାଇ ଅଙ୍କା ଏଇ ଚକ୍ ଚକ୍ କାନ୍ଥରେ ।

ମୁଁ କେତେ ଖୋଜିଚି ମୋର ସ୍ୱର ସେଇ କଥାର ସମୁଦ୍ରେ

ମୁଁ କେତେ କରିଚି ଚେଷ୍ଟା ସେ ଛାଇଙ୍କ ସାଙ୍ଗେ ମିଶିବାକୁ

ହାଡ଼ଭଙ୍ଗା ଶୀତରେ ମୁଁ ଅନ୍ଧାରରେ ପଥରକୁ ଝୁଣ୍ଟି

ଲହୁ ଲୁହାଣ ହୋଇଛି ଚନ୍ଦ୍ରଭାଗାରେ ଲଂଫ ଦେବାକୁ ।

କିନ୍ତୁ କି କାରଣେ ? ଧେତ୍ ପତ୍ରମାନେ ଚୁପ୍ ପୂର୍ବପରି

ହେ ପତ୍ର ! ତୁମ୍ଭଙ୍କୁ ଆମ୍ଭେ ପାନ ଦେବା ଚା ଖୁଆଇବା

ତୁମ୍ଭର ବାସନା କଣ ତୁମ୍ଭେମାନେ କାହିଁକି ଜଳୁଚ

ଓ କିପରି ? ତୁମ୍ଭେ ଆମ୍ଭେ ମଇତ୍ର ହୋଇବା ।

ଏହି ପତ୍ରମାନ ଏବଂ ସାଁବାଳୁଆ କଥା ଓ ଛାଇଙ୍କ

ବ୍ୟତୀତ ମୁଁ କିଏ ? ଖାଲି ପ୍ରଜାପତି ହେବାରେ ଗୋଟିଏ

ବିକୃତ ଇଚ୍ଛା ନା ସେଇ ଇଚ୍ଛାର ମୁଁ ଓଦା ପରିଣତି

କିନ୍ତୁ ପତ୍ରମାନେ କିଏ ? ଛାଇ କଣ, କିଏ ସାଁବାଳୁଆ ?

Image

 

ବିଶେଷ କଥନ

 

ଏବଂ ମୁଁ ପଚାରୁଚି କେଉଁଆଡ଼େ ବାଟ ମୋ ଗାଁଆକୁ

ମୋ ଚାରିପାଖରେ ଛାଇ ଏବଂ ଭଙ୍ଗା ଦର୍ପଣ ଗୁଡ଼ାଏ

ଅନେକେ ଜାଣନ୍ତି ନାହିଁ ଯେ ମୁଁ ଏକ ବୁଢ଼ିଆଣୀ ପରି

ନିଜକୁ ବିକ୍ଷିପ୍ତ କରି ବୁଣିଅଛି ପ୍ରଶସ୍ତ ଜାଲଟେ

ଯା ଉପରେ ଶୋଇରହେ ଦିନଯାକ ଚାରିକାତ ମାରି

ରାତିରେ ମୁଁ ଖୋଜୁଥାଏ ସେ ଜାଲରେ ଅର୍ଥ ଏବଂ ମୋର

ଯେତେବେଳେ ପଡ଼ିଆର ସାନବଡ଼ କାକର ବୁନ୍ଦାରେ

ଉତାରି ପକାଏ ରାତି ମେଘ ଅବା ଜହ୍ନର ଛବିକୁ ।

 

ମୁଁ ଥଣ୍ଡା ଏକକଟିଏ ଉହ୍ମେଇ ଓ କ୍ଳବଘର ନାଚ

କଲେଜ୍, ସିନେମା ସତ୍ତ୍ୱେ ମୁଁ ହଜୁଚି ନିଜର ଭିତରେ

ବେଳେବେଳେ ସ୍ଵପ୍ନ ଆସେ ଝାଙ୍କିଦେଇ ମୋର ବରଗଛ

ଅସଂଖ୍ୟ ଶୁଆଙ୍କ ପରି । ମୋ ହାତରେ ପଡ଼େ ମୋ ଛାଇର

ବିକୃତ, ବିକଳ ଲାଞ୍ଜ କିନ୍ତୁ ଆହା ସମସ୍ତ ଛାଇଟା

ଗାତ ଭିତରେଇ ରହେ ମୋ କାନରେ ବାଜେ ଆସି ସ୍ୱର

ମୋର ଏବଂ ରମେଶର ହୋଟେଲ୍‍ର ମଦ ପିଆଲାର

ଅଥବା ସେ ସ୍ତ୍ରୀଲୋକର ରୁଣୁଝୁଣୁ ମୁଠେ ପାଣିକାଚ ।

 

 

ଦିନେ ଖରାବେଳେ ଆମେ ଘରେ ତାସ୍ ଖେଳୁଥିବା ବେଳେ

ଏକୁଟିଆ ନଇଲାଟେ ମୋ ହାତରେ ବହୁତ କାନ୍ଦିଲା

ମୁଁ ବୁଝିଲି ଏତେବେଳେ ମତେ ଆସି ଛୁଇଁବ ଚେତନା

ଗର୍ଭବତୀ ସ୍ତ୍ରୀ ଯେପରି ଚୁମାଦେଇ ସ୍ଵାମୀର ଗାଲରେ

ଅନ୍ଧାରରେ ଖସିଯାଏ ହସ ଶୁଭେ ଅଲଗା ଖଟରୁ

ମୁଁ ଜାଣିଲି ଏତେବେଳେ ଯେ ମୁଁ ନିଶ୍ଚେ ହେବି ପ୍ରଜାପତି

ସାଁବାଳୁଆ ହେବାଁଠାରୁ ଭାଗ୍ୟବାନ ଅବସ୍ଥା ବା କଣ

ତେଣୁ ଆଜି କ୍ଷତି କଣ ଅନ୍ଧାରରେ ନିଜକୁ ଖୋଜିଲେ ?

 

ତେବେ ମୁଁ ଫେରିବି ଆଜି ରାତି ପ୍ରାୟ ସାଢ଼େ ଦୁଇ ବେଳେ

ବାଟଯାକ ଟଳି ଟଳି, ମୋ ଦାନ୍ତରେ ଗୀତଙ୍କ ଖଣ୍ଡିଆ

ଓ ଖାବରା ଶବ ଏବଂ ବୋହି ବୋହି ଦେହର କାଗଜେ

ସେ ସ୍ତ୍ରୀଲୋକମାନଙ୍କର ଟିପଚିହ୍ନ ମୁଁ ଆଜି ଫେରିବି ।

ଆଜି ଯଦି ଓଦା ହେବ ଅନ୍ଧାର ମୋ ବୋଉର ଦୁଃଖରେ

ଆଜି ଯଦି ସମାଧାନ କେବଳ ମୁଁ ନିଜକୁ ଜାଳିଲେ

ଏ ସବୁ ପରେ ମୁଁ ଦିନେ ଯେ ନିଶ୍ଚୟ ପ୍ରଜାପତି ହେବି

ଏ କଥା କିଏ ସେ ମୋତେ ଲେଖିଦେବ କାଗଜପତ୍ରରେ ?

Image

 

ଅବ୍ୟୟ

 

କାଲି ତୁମେ ଯେତେବଳେ ମୋ ସାଙ୍ଗରେ ବୁଲି ବାହାରିଲ

ସାତଣାର ରିକ୍ସା ଧରି ଅକସ୍ମାତ ସମୁଦ୍ର କୂଳକୁ

ତୁମେ କଣ ଜାଣିଥିଲ ମୁଁ ହଠାତ୍ ମରିଯିବି ବୋଲି

ମୁଁ ଆଉ ନଥିବି ବୋଲି ତୁମ ସଙ୍ଗେ ରୁଟି ଖାଇବାକୁ ।

ଆମେ ଦିହେଁ ବସିଥିଲେ ଚୁପଚାପ୍ ଅବା ଗପୁଥିଲେ

ପାଖରେ ଲହଡ଼ିମାନେ ଅବିରାମ ଘଣ୍ଟ ପିଟୁଥିଲେ

ଫିକା ଜହ୍ନ ଆଲୁଅରେ ମୁଁ ଦେଖିଲି ମୋ’ ରକ୍ତମାଂସର

ନିର୍ମୋକ ପଡ଼ିଲା ଖସି ବାଲିରେ ବା ସମୁଦ୍ର ପାଣିରେ ।

ତାପରେ ଫେରିଲ ତୁମେ ଏକୁଟିଆ କୋଲପ ଖୋଲିଲ

ସ୍ଵିଚ୍ ଟିପି ଦେଖିଲ ଯେ ମୋ’ ପ୍ରେତାତ୍ମା ଚୌକିରେ ବସିଚି

ତୁମକୁ ପାଖକୁ ଡାକି କହିଲା ସେ, “ବନ୍ଦ କର ଦ୍ଵାର

ମୋ’ ହାଡ଼ରେ ଯନ୍ତ୍ରଣା, ଆଃ ଦେଖ ଖପୁରି ଜଳୁଚି ।”

ମୁଁ ଲେଖିଚି ନାଆଁ ମୋର କେତେଥର ସମୁଦ୍ର ବାଲିରେ

ମୁ କହିଚି ମନ ମୋର ଗୀତିମୟ ଶ୍ୟାମ ଝାଉଁବଣ

ଅଫିସ୍ ଚୌକିରେ ବସି ଗଣିଚି ମୁଁ ମାସକ ଦରମା

ମୁଁ ଖୋଜିଚି ସ୍ଵର୍ଗଲୋକ ଜନ୍ମ ଏବଂ ମୃତ୍ୟୁର କାରଣ ।

ହଠାତ୍ ସକାଳୁ ତମେ ଦେଖିଲ ଯେ ମୁଁ ଦାନ୍ତ ଘଷୁଚି

ମୁଁ ପଢ଼ୁଚି କାଗଜରେ ମୋର ମୂଢ଼ ମୃତ୍ୟୁର ଖବର

ମୁଁ କହୁଚି ତୁମେ କେଡ଼େ ସୁନ୍ଦର ଓ ଆଜି ରବିବାର

ପକେଟରେ ମୁଠେ ଶିପ ସ୍ମୃତି ଦୂର ନୀଳ ସମୁଦ୍ରର ।

Image

 

ବାରନ୍ଦା

 

ବାରନ୍ଦାର ଅନ୍ଧାରରେ ଛିଣ୍ଡିପଡ଼େ ରାବଣର ମୁଣ୍ଡ

ଅବା ଛତା ପୋତି ଗଳ୍ପ ଶୁଣେ କେଉଁ ଆତୁର ଭଣ୍ଡାରୀ

ବୁଢ଼ୀ ମାଆ ବାଣ୍ଟି ଦିଏ ଅବଶିଷ୍ଟ ଆକାଂକ୍ଷା ଯେତେକ

ବହୁଦିନୁଁ ସୁରକ୍ଷିତ ନୋଟ୍ ଏକ ଭଙ୍ଗାଇବା ପରି ।

 

ତାପରେ ବାରନ୍ଦା ହୁଏ ଜୁଡ଼ୁ ବୁଡ଼ୁ କ୍ଷତିର ଭୟରେ

ଗୋବରର ଅନୁରାଗ ଥଣ୍ଡାପଡ଼େ, ପିଜୁଳି ଗଛରେ-

ବୁଢ଼ୀମାର ଲୋଭ ଯୋଗୁଁ-ଝୁଲୁଥାନ୍ତି ନିଃସ୍ୱ ତାରାମାନେ

ରୋଗିଣା ନାତିର ଆଖି ସେ ତାରାଙ୍କୁ କଣ ଧରିପାରେ ?

Image

 

ନଭେମ୍ବର ୩, ୧୯୬୩

 

ତଥାପି ସମୟ ଥିଲା । ତମେ ଯେବେ ମେଘ ଖଣ୍ଡେ ପରି

ଆପଣାର ଖିଆଲରେ ଉଡ଼ିଗଲ ଆହୁରି ଦୂରକୁ

ମୁଁ ନଚାଇ ପାରିଥାନ୍ତି ମୋ ରକ୍ତର ଡାହାଣୀମାନଙ୍କୁ

ଉତ୍ତାପର ଅଗଣାରେ । ଅଥବା ମୁଁ ନିଜକୁ ପ୍ରସ୍ତୁତ

କରି ପାରିଥାନ୍ତି ବହୁ ସନ୍ତାପର ଇତିହାସ ପାଇଁ

ମୁଁ ଛିଣ୍ଡାଇ ଫିଙ୍ଗିଥାନ୍ତି ତମ ମ୍ଳାନ ସ୍ମୃତିର ପଣତ

ଅବା ବସି ଭାବିଥାନ୍ତି କିସ କରୁଥିବ ଗୋପଗୋଈ ।

 

ସେ ମିନିଟ୍‍ମାନେ କିନ୍ତୁ ମତେ ବେଶ୍ ବୋକା ବନେଇଲେ

ମୁଁ ଯେମିତି ଦାଆଧରି ପାହାନ୍ତାରୁ ବିଲକୁ ଯାଇଚି

ସେମାନେ କହିଲେ କିଓ ଧାନ କଣ ମୋଟରୁ ପାଚିଚି

ହଳଦିଆ ଦିଶୁଚିନା, ମୁଁ ଫେରିଲି ନିଜ ବାଟ ଧରି

ଆଇ ଦିନ ସକାଳକୁ ମୋ ବିଲରେ ଧାନ ଗୋଟେ ନାଇଁ

ଖାଲି ଯା’ ନଡ଼ାର ମୂଳେ କାକରର କ୍ଳାନ୍ତି କେତେ ଟୋପା

କଲବଲ ଉତ୍ତାପର ପରୀକ୍ଷାକୁ ମାନିନେବା ପାଇଁ ।

 

ତଥାପି ସମୟ ଥିଲା । କିନ୍ତୁ ହାୟ ମୁଁ ତ ମଜ୍ଜିଗଲି

ଜୋଛନାର ତପସ୍ୟାରେ ନିରାପଦ ସମୁଦ୍ର କୂଳରେ

ମୋ ଥଣ୍ଡା ପାଟିରେ ଭର୍ତ୍ତି କଲି ଓଦା ସମୁଦ୍ର ବାଲି ଓ

ଭଙ୍ଗା ମଦ ବୋତଲର ବେକ । ଆହା ମୁଁ କେତେ ନିଶ୍ଚିନ୍ତ

ଯେଉଁ କାକର ବୁନ୍ଦାକୁ ଚିହ୍ନିଲି ମୁଁ ଧାନଗଛ ମୂଳେ

ତାରି ଅଗଣାରେ ମୋର ଇଚ୍ଛାମାନେ ହେଲେ ଆତଯାତ

ମୁଁ ଜାଣେ ଡାହାଣୀମାନେ ପଡ଼ିଗଲେ ଅନେକ ପଛରେ ।

 

ତେଣୁ ତମେ ଯେତେବେଳେ ଯୋଡ଼ୁଥିବ ତମରି ଓଠକୁ

ଅନ୍ୟ କାହାରି ଓଠରେ ମୁଁ ଜାଣିଚି କିପରି ଯୋଡ଼ୁଚ

ହୁଏତ ପଦେ ଦିପଦ ଉଷୁମିଆ କଥାର ଅଠାରେ

ତମର ସେ ବୈଶାଖକୁ ଚିହ୍ନେ ମୋର ବିଲର ପଉଷ

ତମର ଉଷ୍ମତା ମୋତେ ଚିହ୍ନି ଅଛି ତିନିବର୍ଷ ତଳେ

ତେଣୁ ମୁଁ ଭାବୁଚି ଆଜି ସମୟ ଓ ସ୍ଥାନର ଦୂରତା

ସତ୍ତ୍ୱେ ତମେ ନିକଟରେ ମୋ ଜ୍ଞାନର ପରିଖା ଭିତରେ ।

Image

 

ମାରୀଚ

 

ହେ ରାତ୍ରି ! କାହାର ଲୋଭେ ତମେ ଆଜି ଏତେ ଆୟୁଷ୍ମତୀ

ସେ ନାରୀ ଯାହାର ଭ୍ରାନ୍ତି ଲୋଡ଼ୁଥିଲା ମୋହର ଅଜ୍ଞତା

ସେତ ଆଉ ନାହିଁ । ମୋର ଚାରିଆଡ଼େ ଲୋକଙ୍କ ଅରଣ୍ୟ

ଝରଝର ଶ୍ରାବଣର ଝକା ଦେଇ ମୁଁ ଖୁବ୍ ଶୁଣୁଚି

ଧାନପେଷା କଳଟାଏ ଅତି ଉଚ୍ଚେ କରୁଚି କାରୁଣ୍ୟ ।

 

ହେ ରାତ୍ରି ! ତମେ କି ଜାଣ ଆମେ ଦୁହେଁ କିପରି ପଡ଼ିଲୁ

ସେ ଉତ୍ତପ୍ତ କରେଇରେ ଟକ୍‍ମକ୍ ଫୁଟନ୍ତା ତେଲରେ

ପରସ୍ପର ଚିହ୍ନିବାରେ ଥାଏ ପୁଣି ଏତିକି ଯନ୍ତ୍ରଣା !

କି ନିଷ୍ଠୁର ନର୍କଲୋକ ହେ କରେଇ ହେ କରୁଣାକର

ଅନ୍ଧାରରୁ ମୁକ୍ତିଦିଅ ଦିଅ ମାତ୍ର ବିନ୍ଦୁଏ କରୁଣା ।

 

ହେ ରାତ୍ରି ! ଚାହୁଁଚ ତମେ ଯୋଡ଼ି ହୋଇ ରହୁଁ ଆମେ ଦିହେଁ

ଅଥଚ ରାବଣମାନେ ହସୁଥିବେ ଆମ ଭୁଲ୍ ଦେଖି

ଦିଅଁମାନେ ଖାଇବେନି କିନ୍ତୁ ନିୟମିତ ଭୋଗ ହେବ

ତମେ ଯଦି ବୁଝ ଆହା ମାରୀଚର କର୍ତ୍ତବ୍ୟ ବା ଲୋଭ ।

Image

 

ଇତିହାସ

 

ସେ ପର୍ଯ୍ୟନ୍ତ ଠିକ ଥିଲା । ମୂଷାକାନି ପତ୍ରରେ ରଙ୍ଗାଇ

ଓଷ୍ଠାଧର ଆମେ ଦୁହେଁ ଆରାମରେ ବାଟ ଚାଲୁଥିଲୁ

ଆମରି ଉପରେ ଉଡ଼ି ଚାଲିଥିଲେ ପଂଝାଏ ଚଢ଼େଇ ।

 

ତାପରେ ଆସିଲା କ୍ଳାନ୍ତି ଏବଂ ତମେ ଅନେକ ଖୋଜିଲ

ଝରଣାର ପାଣି ଅବା ମୁଁ ଖୋଜିଲି ତୁମର ଝରଣା

ମୋ ସାମ୍ନାରେ ଭଙ୍ଗା ଛତ୍ରଘର ତେଣେ ଶୂନ୍‍ଶାନ୍ ବିଲ ।

 

ତମର ମୁଚୁକି ହସ ସତ୍ତ୍ଵେ, ରାଣ ଅଛି, ମୁଁ ବୁଝିନି

ଯେ ସେ କ୍ଳାନ୍ତି ଝୁଲାଇବ ନିରାପଦ ଖଜୁରି ଡାଳରେ

ନୂଆ ଏକ ଚେତନାର ଦୋଳି, ଆମ ଗାଁ ଚଉପାଢ଼ି

ଉପରେ ଖଂଜଣିମାଡ଼ ଶୁଭୁଥିବ ଘଡ଼ିଏ ରାତିରେ ।

 

ତାପରେ ଅପେକ୍ଷା ଗଲା ସୁଆଗିଆ ବାଟଚଲା ଗଲା

କିଏ ପୁଣି ପୋଡ଼ାହେଲା ଆମ ଦେହ ମଶାଣି ଦାଢ଼ରେ

କିଏ ବା ଜନମ ନେଲା ତମ ଦେହ ଅନ୍ତୁଡ଼ିଶାଳରେ

ଜାଣିବା ଆଗରୁ ଆମେ ବୁଡ଼ିଗଲେ ଆଣ୍ଠିଏ ପଙ୍କରେ ।

Image

 

ପ୍ରାର୍ଥନା

 

ଓଦା ରାତି ବିଷର୍ଣ୍ଣ, ନିର୍ବାକ୍

ନୀରବତା ପୁଣି ନୀରବତା ।

ହେ ପ୍ରଭୁ ! ମୋଠାରୁ ଶବ୍ଦ କାଢ଼ିନିଅ ମୁ ଯେମିତି ନ କରେ ପ୍ରାର୍ଥନା

ଯେହେତୁ ମୋ ଅହଙ୍କାର ବଢ଼ାଏ ମୋ ସିଡ଼ିର ଉଚ୍ଚତା ।

କିମ୍ବା ବହୁ ଶବ୍ଦଙ୍କର ଉଚ୍ଚକିତ ଜଂଜାଳ ଆରମ୍ଭ ହେଉ

ଗଛ ଗହଳିରେ ଶୁଭ ଘଣ୍ଟଧ୍ଵନି, ଶଙ୍ଖଧ୍ଵନି ହୁଳହୁଳି ନାଦ

ତା ଭିତରେ ହଜିଯାଉ ମୋ ସ୍ତିମିତ କଥାର କାକଳି

ଯେହେତୁ ମୋ ସମ୍ମୁଖରେ ଉଚ୍ଚତମ ବ୍ୟଥାର ଧଉଳି ।

ହେ ଶ୍ୟାମ ! ସମୁଦ୍ର ସମ ଗର୍ଜିଉଠ, ରାତିଅଧ

ହୋଟେଲ୍ ରେ ପଶି ଭାଙ୍ଗି ଦିଅ ମୋ ବେହେଲା ।

ଓଦାରାତି ନିର୍ବାକ୍, ବିଷଣ୍ଣ

ମୋ ଆତ୍ମାର ନିର୍ଜନ ଦେହରେ

ନଖକ୍ଷତ ଦନ୍ତାଘାତ ଅନନ୍ତ କାଳର ।

ଅଦୂର କନେଷ୍ଟବଲ୍ ବୁଟ୍‍ର ଠକ୍ ଠକ୍ ଶବ୍ଦ

ହେ ପ୍ରଭୁ !

Image

 

ମୋ ଛାତ୍ରମାନଙ୍କୁ

 

କେତେ ନଈବାଙ୍କ ପୁଣି ସକାଳର ଗର୍ବ ଓ ସନ୍ଧ୍ୟାର

ଅସଂଖ୍ୟ ସନ୍ଦେହ ଟପି ବିଶ୍ରାମର ଅହଙ୍କାର ବେଳେ

ଆମ୍ଵ ତୋଟା ଗହଳିରୁ ସେମାନଙ୍କ ହାତୀ ପଲଟଣ

ମୋ ନିର୍ବୋଧ ସନ୍ତୋଷର ରାଜ୍ୟ ଆଡ଼େ ଉହୁଙ୍କି ପଶିଲେ ।

 

ଖପ୍ ଖାପ୍ ଡେଇଁ ପଡ଼ି ସେ ଉତ୍କଳ ରାଜପୁତ୍ରଗଣ

କହିଲେ, “ଆପଣ ବନ୍ଦୀ”–ମୁଁ ବିବ୍ରତ, ମୂଢ଼ ଓ ନିର୍ଦ୍ଦୋଷ

ସମଗ୍ର ନିଶିଥ ଧରି ସେମାନଙ୍କ ପାଦର ଆୱlଜ୍

ମୋ ଗରମ ଦୀର୍ଘଶ୍ଵାସେ କଂପୁଥିଲେ ମୋ ହଳକ ନିଶ ।

 

ସକାଳେ ମୋ ରାଜଧାନୀ ସୂର୍ଯ୍ୟମୟ, ଚକ୍ ଚକ୍ ଅସଂଖ୍ୟ ମୁକୁଟ

ଗଡ଼ୁଥିଲେ ପ୍ରାଙ୍ଗଣରେ, ମୁଁ ମେଞ୍ଚାଏ କାନ୍ଦୁରା ଛୁଆଙ୍କୁ

ଧରି ବସ୍ ଚଢ଼ୁଥିଲି- ଓ ‘ଦୁଇଟି ସନ୍ତାନ ଯଥେଷ୍ଟ ।’

 

ହାତେ ମୁହେଁ ସ୍ୟାହି ବୋଳି ହେ ସମର୍ଥ ରାଜପୁତ୍ର ଗଣ

ଏ ଉଦାର ଅନ୍ୟାୟରୁ କ୍ଷାନ୍ତ ହୁଅ- ମୁକ୍ତି ମୁଁ ଚାହେଁନା

ଚାହେଁ ଭାଙ୍ଗି ଚୂନାକର ମୋ ଗର୍ବର ସ୍ଵର୍ଣ୍ଣ ସିଂହାସନ I

Image

 

ଦୁଇଟି ମୁହୂର୍ତ୍ତ

(୧)

 

ଯେହେତୁ ପଡ଼ିବା ପରେ ଉଠିବାର ସମସ୍ତ ଆବେଗ

ବରଜି ମୁଁ ଚେଷ୍ଟା କଲି ଝଡ଼ୁଥିବା ପତ୍ରଙ୍କ ସହିତ

ଭାବଦୋସ୍ତି କରିବାକୁ; ମୋ ଅର୍ଜିତ ସକଳ ବିପତ୍ତି

କିଏ ସେ ଛଡ଼ାଇ ନେବ ?

 

ତୁମ ଓଦା ପଣତ କାନିରେ

ଏତେ ଛାପି ଛପିକିଆ ଅନ୍ଧାର ଓ ମାଂସର ଚୋ କଷ

ଖାନାପିନା ବନ୍ଧା ବୋଲି ଆଗରୁ ମୁଁ ଜାଣିଥାନ୍ତି ଯଦି

ବସ୍ତ୍ର ଚୋରି କରି ନଥାନ୍ତିତ, ବରଂ ଫିଙ୍ଗି ସବୁତକ ଲୁଗା

ପାଣିକୁ ମୁଁ ଡେଇ ଥାନ୍ତି ।

ଆଜି ଆମ ଦୁଆରକୁ ଆସିଥିଲେ ଏକ ବ୍ରହ୍ମଚାରୀ

ମୋ ପରି ବିବ୍ରତ ଯୁବା, ମୁଁ ନିଜକୁ ମାଗୁଥିଲି ଅବା

ନିଜ ଚାଉଳରୁ ମୁଠେ ଏବଂ ମୁଁ ଖସୁଥିଲି ବୋଲି

ନଥିଲା ସାମାନ୍ୟ ଦୁଃଖ କାରଣ ମୁଁ ଦୁଃଖ ମାଗୁଥିଲି ।

 

କିଏ ସେ ପଚାରେ ପ୍ରଶ୍ନ ଉତ୍ତର ବା ଦେଉଛି କିଏ ସେ କିଏ ସେ

ଉଡ଼ାଏ ଏତେ ଚଢ଼େଇଙ୍କୁ ନିଜର ମନରୁ

କିଏ ସେ ବାହୁଡ଼ି ଆସେ ଘର ମୁହାଁ ଗୋଠ ସହିତରେ

କାହାର ଚୌ ତିଶା ଲେଖା ଝଡ଼ିଥିବା ଅଶ୍ୱତ୍ଥ ପତ୍ରରେ ?

 

(୨)

 

ହୁଏତ ଆହତ ହେବି ସମୟରେ ଗରୁଡ଼ ଡେଣାରେ

ମୋ ପରି ଅନେକ ଲୋକ ଖୋଜୁଥିବେ ଝରଣା ଓ ପାଣି

ଯଦି ଦିନ ଥିବ ଆଉ ଆଲୁଅର କୋଳାହଳ ଥିବ

ହଳଦିଆ ପବନରେ ଝଡ଼ୁଥିବା ପତ୍ରଙ୍କ ମୃତ୍ୟୁରେ

କ୍ଷୀରଖିଆ ଛୁଆଙ୍କର ହସିବାର ଅଧିକାର ଥିବ ।

 

ହୁଏତ ସେ ଦୁର୍ଘଟଣା ଅନ୍ୟ ଏକ ଗତିର ଆରମ୍ଭ ।

ଏ ତାଳଗଛର ଊର୍ଦ୍ଧ୍ୱେ ଉଡ଼ିବୁଲେ କାହାର କାମନା

ଯେଉଁମାନେ ଚାଲିଛନ୍ତି ଟପିଟାପି ବହୁ ତାଳଗଛ

ମୁଁ କିପରି ସେମାନଙ୍କ ଶିରା ଆଉ ପ୍ରଶିରା ଭିତରୁ

ତୋଳିବି ନିର୍ଜୀବ ମୁକ୍ତି...ଚାଲିବାଇ ଏକମାତ୍ର ମିଛ ।

 

ଅସଂଖ୍ୟ ସତ୍ୟର ଦ୍ଵାରେ ମୁଣ୍ଡ କୋଡ଼ି ମରିବା ବ୍ୟତୀତ

ଆମର ଆଶଙ୍କା ନାହିଁ ଆଲୁଅର ସ୍ଵାଦ ଲାଗି ରହେ

ପଖାଳ କଂସାରେ ଆଲୋ ତଅପୋଈ ଘରକୁ ଫେରିବା

ଯାହା ଦୁର୍ଘଟଣା ମୁକ୍ତ ଓ ଗରୁଡ଼ ବିଷ୍ଣୁଙ୍କ ବାହନ ।

Image

 

ସିଡ଼ି

 

ସେମାନେ ଓହ୍ଲାଉଥିଲେ ସିଡ଼ିରେ ବା ସେମାନଙ୍କ ଗୋଡ଼ର ଭରସା

ପାଇ ସିଡ଼ି ଉଠୁଥିଲା ଉପରକୁ । ମୁଁ ନିଶ୍ଚିନ୍ତ ତଳେ ଚଉକିରେ

ଖୁବ୍ କଫି ପିଉଥିଲି, ଯେ’ ହେତୁ ମୋ’ ନିଜର ସିଡ଼ିରେ

ଚାରୋଟି ପାହାଚ ମାତ୍ର । ତା’ ପରେ ମୁଁ ହେଲେ ଯୁଧିଷ୍ଠିର

ନହେଲେ କଦର୍ଯ୍ୟ କୃମି ନରକର ଗମ୍ଭୀର ଅନ୍ଧାରେ ।

 

ଏମନ୍ତ ସମୟେ ଆସି ସେମାନଙ୍କ ପୁଞ୍ଜା ପୁଞ୍ଜା ଜଂଘ

ଲୋଭନୀୟ ଆଘାତରେ ଭାଙ୍ଗିଲେ ମୋ ପ୍ରଥମ ପାହାଚ

ମୁଁ ତେଣୁ ଅଥର୍ବ ବୁଢ଼ା କିମ୍ଭୀର ଏ ଗାଆଁ ପୋଖରୀର

ମୋ ପେଟରେ ସ୍ଵପ୍ନ ଅଛି ସେ ବୋହୁର ନାକଚଣା ପରି

କ୍ଷୁଦ୍ର, ଓ କଠିନ । ଆହା ମୁଁ ମଧ୍ୟ ତ ନୁହଇ ନିଜର ।

 

ମୁଁ ତେବେ କାହାର ? ବୋଧେ ସାମ୍ନାର ଉନ୍ମୁକ୍ତ ସିଡ଼ିର

ସେମାନଙ୍କ ସାଂଗେ ବୋଧେ ଓହ୍ଲାଉଚି ସେ ବୋହୂର ଛାଇ

ମୋଟ ଚତୁର୍ଥ ପାହାଚକୁ ମୋ ସାଂଗରେ କିଏ ସେ ଯିବ ଲୋ

ଯିଏ ଡାକି ଆଣିପାର ନଈକୂଳ ତୋଟାମାଳ ଆଡ଼ୁ

ବରଷାକୁ, କାଦୁଅରେ ଭଙ୍ଗା ପାହାଚ ଯେ ଯୋଡ଼ିପାର ।

Image

 

ବସରେ ପୁରୀ ଗଲାବେଳେ

 

ଗତିଶୀଳ ବସ୍, ଦୟାନଦୀ, ଦି’ପାଖରେ କଇଁଫୁଲଙ୍କର

କବାଟ ଝରକା ବନ୍ଦ, ଶୂନ୍‍ଶାନ୍ ଧାନବିଲ ଆଡ଼େ

ଏକାକୀ ଚଢ଼େଇ ଧାଏଁ ଚିରି ଚିରି ଖରାର ପରସ୍ତ,

ଝାଳର ଲୁଣିଆ ଗନ୍ଧ, ଯୁକ୍ତିତର୍କ ଖବର କାଗଜ

ପୁରୁଣା ଚିଠିର ପୃଷ୍ଠା ପରି ମ୍ଳାନ ଏଇ ଅପରାହ୍ନ

ଅଯଥା ମନକୁ କରେ କର୍ମଠ ଓ ଉଦାସ ଗମ୍ଭୀର ।

 

ସକାଳେ ମୁଁ ଠିକ୍‍ଥିଲି ନିରାଶା ଓ ଅବଶୋଷ ନେଇ

ଇସ୍ତ୍ରି କରା ଜାମା ପିନ୍ଧି ସାଇ ସାଇ ଟହଲ ମାରିଚି

ଯିଏ ମୋତେ ମନାକଲା ମୁଁ ତାହାର ଏରୁଣ୍ଡି ବନ୍ଧରୁ

ଗଲାଣିତ ଗଲା କଥା ପରି ଆସ୍ତେ ବାହୁଡ଼ି ଆସିଚି

ହଠାତ୍ ମୁହୂର୍ତ୍ତ ଏକ ଏବଂ ସବୁ ଓଲଟ ପାଲଟ

ଏ ଅପରାହ୍ନର ଗତି ଗର୍ଭବତୀ ବୋଧେ ସେଥିପାଇଁ ।

 

 

କୁଆଡ଼େ ଚାଲିଚୁ ଆମେ ଗତିଶୀଳ ମଟର ଆମକୁ

କୁଆଡ଼େ ନେଉଚି ? ଏବେ ଭାବି ଆଉ ଲାଭ ନାହିଁ କିଛି

ପ୍ରଥମେ ସ୍ଵୀକୃତି ପରେ ଆଲୋଚନା ଓ ଅନୁଶୀଳନ

କରି କରି ତେଇଶିଟା ଲମ୍ବା ବର୍ଷ ମୁଁ ଖୁବ୍ ବଞ୍ଚିଛି ।

ଏବେ ଯଦି ପଚାରୁଚି ଗତି ଗର୍ଭବତୀ କିସ ପାଇଁ

ସମସ୍ତେ ଆଶ୍ଚର୍ଯ୍ୟ ହେବେ ମୁଁ ନିଜେ ବି ଡରିବି ନିଜକୁ ।

 

ହୁଏତ ମୁଁ ଭାବୁଥିଲି ହୋଟେଲ୍ ରେ ତମର ଅଣ୍ଟାକୁ

ଝଙ୍କାଇ ଉଡ଼ାଇ ଦେବି ଅପ୍ରାକୃତ ପ୍ରେମର ଶୁଆଙ୍କୁ

ତା’ ପରେ ଭାଙ୍ଗିବି ଡାଳ ମୋ’ କ୍ଷୁଧାର୍ତ୍ତ ଐରାବତ ପାଇଁ;

ଆଉ ଯଦି ବର୍ଷା ହେବ ନିଶ୍ଚିନ୍ତରେ ତମ ଗଛତଳେ

ଆଶ୍ରା ନେବି ଏବଂ ବର୍ଷା–ମିଛରେ ମ–ଛାଡ଼ିବା ଉତ୍ତାରୁ

ଖସି ପଳାଇ ଆସିବି ନିରାପଦ ଆମ ସହରକୁ ।

 

 

ସବୁ ଖାଲି ବୃଥା ହେଲା, ଅକସ୍ମାତ୍ ଏପରି ମୁହୂର୍ତ୍ତ-

ଟାଏ ଆସି ପହଞ୍ଚିଲା ଯେ ସମସ୍ତେ ଏକାନ୍ତ ଅବାକ୍

କିଏ ସେ କାହାକୁ ଚିହ୍ନେ ? ଆମେ ସବୁ ଗତିରୁ ବିଛିନ୍ନ

ହେଲୁ ଖୁବ୍ ଶକ୍ତ ଏକ ଧକ୍କାରେ ଓ ସମସ୍ତ ମଟର

ଜଳିଗଲା ଶରତର ପାଉଁଶିଆ ଖରାର କ୍ଲାନ୍ତିରେ

ଗତିର ଗର୍ଭରୁ ଏକ ଶିଶୁ ଜନ୍ମହେଲା ଯେ ସେ ମୃତ ।

Image

 

ଦର୍ପଣ

 

ନିରାପଦ ଦର୍ପଣରେ ରାତି ପ୍ରାୟ ସାଢେ଼ବାର ବେଳେ

ପ୍ରତିବିମ୍ବ ଦେଖେ ମୁଁ ନିଜର

ମୁଁ ହଠାତ୍ ଯଦି ଭାଙ୍ଗିଯାଏ

ଏ ଦର୍ପଣ କଣ ଭାଙ୍ଗି ଚାରିଆଡ଼େ ଛିଟିକି ପଡ଼ିବ ?

 

ମନେ ପଡ଼େ କେବେ ଥରେ ଦେଖିଥିବା କ୍ଷେତ

କୌଣସି ଶବ୍ଦକୁ ଡରି ଉଡ଼ିଗଲେ ସବୁ ପ୍ରଜାପତି

ମୁଁ ଦେଖିଲି ସର୍ବାଙ୍ଗରେ ବିସ୍ମୟର ପ୍ରକ୍ରିୟା ସହିତ

ସେ କ୍ଷେତ ରହିଲା ନାହିଁ ଖଣ୍ଡ ଖଣ୍ଡ ପ୍ରତ୍ୟଙ୍ଗ ତାହାର

ଏଣେ ତେଣେ ଫିଙ୍ଗି ହୋଇ ପଡ଼ିଗଲେ କେଉଁଠି କେଜାଣି ।

 

ବିସ୍ମୟ କାହାର ? ମୋର ? ହାୟ ମୋର ଡିଗ୍ରୀ ଅଣା ଫଟୋ

ମୁଁ ଯଦି ଜାଣୁଥାଆନ୍ତି ତାରାମାନେ ଦର୍ପଣର

ଖଣ୍ଡ ଖଣ୍ଡ କାଚ ପରି ମୋ’ ରକ୍ତକୁ ଚାଖୁଚନ୍ତି ଏବଂ

ସେମାନଙ୍କ ଫିକା ଆଲୁଅରେ

ମୁଁ ଦିଶୁଚି ଚମତ୍କାର, ସ୍ୱାସ୍ଥ୍ୟବାନ୍ ନିରୀହ କଠିନ

ମୁଁ ନିଶ୍ଚୟ ବୁଝୁଥାନ୍ତି ସେ କ୍ଷେତର ସମସ୍ତ ଚାତୁରୀ ।

Image

 

କେଉଁଝର

 

ବେଳେ ବେଳେ କଟକରେ ସିନେମାର ଟିକେଟ୍ ମିଳେନା

ଏବଂ ମୋ’ ପ୍ରେମିକାମାନେ ମୁହଁମାଡ଼ି ବାହୁଡ଼ନ୍ତି ଘରେ

ଆଉ ମୋ’ ଭୁଲ୍‍ର ସଂଖ୍ୟା ଦିନୁଁଦିନ ବଢ଼ୁଥିବା ଦେଖି

ସମସ୍ତ ବି ଖୁଁଚା ଦିଏ । କେବେ କେବେ ପୁଣି ନିଶାର୍ଦ୍ଧରେ

ଉଠିପଡ଼ି ଆତଙ୍କରେ ଖୋଜିଚାଲେ ଶେଯ ଲେଉଟାଇ

ଜାମାର ବୋତାମ ଖୋଲି ନାଗସାପ ପଲ କେଉଁଠାରେ ।

ସକାଳକୁ କାଠଯୋଡ଼ି ଠିକ୍ ଥିବା ଠିକ୍ ଥିବ କାଶତଣ୍ଡି ପଠା

ଖବର କାଗଜବାଲା ଆଣିଦେବ ରାଜ୍ୟର ଖବର

ରାସ୍ତାରେ ସେମିତି ଧୂଳି ସେଇ ଧୂଆଁ ଖାନ୍‍ନଗରର ।

ଏସବୁ ବିରକ୍ତ ଡେଇଁ ଗଲୁଦିନେ କେଉଁଝର ଆଡ଼େ....

ଭବିଷ୍ୟତ ବହୁଦିନୁଁ ଅତୀତ ଓ ମୋ’ ଶୁଭ୍ର ଅତୀତ

କେବେ ବୋଧେ ଫୁଟିବନି ସାମ୍ନାର ତରାଟ ଗଛରେ

କୁମ୍ଭାରର ଚକପରି ଘୂରି ଘୂରି ମୂର୍ଚ୍ଛିତ ସମୟ

କେବଳ ଗଢ଼ିବ ଏଇ ବର୍ତ୍ତମାନ ସକାଳ ନଅଟା,

ବାହାରେ ଜମୁଚି ଭିଡ଼ ରୁମରେ ମୁଁ ଏକାନ୍ତ, ପ୍ରାଚୀନ

ମୋ ଅକାଂକ୍ଷାମାନେ ମୋତେ ଘେରି ଛିଡ଼ା ହୋଇଛନ୍ତି ଖାଲି

ସେମାନଙ୍କ ପରିଚୟ ଦେବାକୁ “ହଁ, ଚିହ୍ନିଛକି ମୋତେ ?”

ମୁଁ ମୋର ଉଦ୍‍ଗତ ଭୟ ଲୁଚାଉଚି ଶବ୍ଦର ବନସ୍ତେ ।

ତେଣୁ ସେ କଟକ ଅବା କେଉଁଝର ତଫାତ୍ କେଉଁଠି

ଯଦିଓ ମୁଁ ଇନ୍ଦ୍ରଧନୁ ଦେଖୁଥିଲି ଘାଗ୍‍ରାର ନାଚରେ

ସୁକାନ୍ତି ବାନଜୀ ଲାଜେ ହସୁଥିଲା ଫିଙ୍ଗି ଫିଙ୍ଗି ଫୁଲ,

ଯଦିଓ ମୁଁ ସ୍ନୋ ମାଖି ହାତମାରି ତମ କବାଟରେ

ଶୁଣିଲି କେବେଠୁଁ ତମେ ତେଲକୋଇ ପଳାଇଗଲାଣି

ଯଦିଓ ଗାଧୋଇ ସାରି ବୋଝେ କଇଁ କାନ୍ଧରେ ପକାଇ

ମୁଁ ଫେରିଲି ଅଭିଆଡ଼ା ପାଞ୍ଚହତା ମରଦ ଜଣକ,

କିପରି ଖସିବି ଏଇ ଭୟଙ୍କର ସକାଳ ନ’ଟାରୁ

ଯିଏ ଏଡ଼େ ଆଁ କରି ବାଘପରି ବାଟ ମୋ’ ଓଗାଳେ

ଏଠାରୁ ମୋ’ ଆରମ୍ଭ ଓ ଶେଷ ବୋଧେ ଏଇ ଆରମ୍ଭରେ ।

କେଉଁଝର ! ତମେ କେବେ ନଥିଲ ଓ କେବେ ହେବନାହିଁ

ବର୍ତ୍ତମାନ ମୁଁ ଏଠାରେ ଚାରିପାଖେ କଟକ ସହର

ପଉଷର ପବନରେ ଝଡ଼ୁଚନ୍ତି ପତ୍ର ଅସୁମାରି

ଶବ୍ଦର ଜାଲରେ ଧରା ପଡ଼ୁଛନ୍ତି ସହସ୍ର ଚଢ଼େଇ,

ମୋ’ ପ୍ରେମିକାମାନେ କେବେ ନଥିଲେ ଓ କେବେ ହେବେନାହିଁ ।

ମୋତେ ଘେରି ଠିଆ ମୋର କାମନାର ସହସ୍ର ପ୍ରହରୀ

ପଉଷର ପବନରେ ଝଡ଼ୁଚନ୍ତି ପତ୍ର ଅସୁମାରି ।

Image

 

କାବ୍ୟ

 

ମନେକର ସେ ଗୋଟିଏ ନିଛାଟିଆ ବଣ ପଂଝାଏ

ଚଢ଼େଇ କୁଆଡ଼ୁ ଆସି ଚଖାଇଲେ ଆମକୁ ସଂଗୀତ

ତମେ ମୁଁ ସେଠାରେ ଥିଲେ ଆଉଜଣେ ଥିଲାକି କଅଣ

ନ ହେଲେ କାହିଁକି ତମେ ଦୋଦୋଚିହ୍ନା ହେଲାପରି ହେଲ

ନହେଲେ କାହିଁକି ତମେ ଭୁଆଷୁଣୀ ରାଜଜେମା ପରି

ପାରିଧିରୁ ଫେରୁଥିବା ରଜାପୁଅ ଦେଖି ଚମକିଲ ।

 

“ଏଥୁ ଅନ୍ତେ ଦ୍ରୋଣ ବିଦ୍ୟାପୁତ୍ରନ୍ତ ହକାରି

ବୋଇଲେ ବାବୁ ଯାଅରେ ମୃଗୟା ବନ ହେରି ।”

 

ମନେକର ସେ ଗୋଟିଏ କ୍ଳବ୍‍ଘର ଓ ପରପୁରୁଷ

ସାଙ୍ଗେ ଦୂରଛଡ଼ା ହୋଇ ବସି ତମେ କଫି ପିଉଥିଲ

ତମେ ମୁଁ ସେଠାରେ ଥିଲେ ଆଉଥିଲେ କେତେ କେତେ ଲୋକ

କିଏ ସେ କାହାକୁ ଚିହ୍ନେ, ସୁଆଙ୍ଗର ମୁଖାପିନ୍ଧା ଦଳ

ତମଠି ମୁଁ ଲକ୍ଷ୍ୟ କଲି ଆସ୍ତେ ଆସ୍ତେ କୃପୀ ନାଶଗଲା

ରାଜଜେମା ପଣତରେ ଚଢ଼େଇଙ୍କ ମାଂସ ବନ୍ଧା ହେଲା ।

ଏବେ ମୁଁ ଫେରୁଚି ଦେଖ ଶୁଣି ଶୁଣି ସାଇକେଲ୍ ଗୀତ

ମୋ ମୁଣିରେ ଆଳୁ କୋବି ଓ ସ୍ୱପ୍ନର କାଉଁରି ହାଡ଼ଟେ

କିଏ ସେ ଦେଖିବ ଆସ ଅଶ୍ଵତ୍‍ଥାମା ପ୍ରସବି କିପରି

କୃପୀ ନାଶଯାଏ ବକ୍ସିବଜାରର ନାଳ କଡ଼େ କଡ଼େ

ଅଧରାତି ଲଣ୍ଠନରେ ଦେଖିଲି ମୁଁ ତମରି ସୁନ୍ଥାଟି

ଜଳୁଚି ମୋ ପୁରସ୍କାର ବନ୍ଧାଥିବା ଲାଲ୍‍ଫିତା ପରି ।

Image

 

ସନ୍ଧ୍ୟା-ସଙ୍ଗୀତ

 

ପବନରେ ଛନ୍ଦି ହୋଇ ସନ୍ଧ୍ୟା ଏବେ ଧରାଦିଏ ମୋତେ

ସୂର୍ଯ୍ୟତ ମିଳାଇଯାଏ ଟଫିପରି ପାହାଡ଼ ସେପାଖେ

ସକାଳର କ୍ଷୋଭ ଧରି ମୁଁ ସନ୍ଧ୍ୟାର ଧୂସର ନାୟକ

ପବନର ମୁକ୍ତି ଖୋଜେ ମୋର ସ୍ୱର୍ଗେ ଅଥବା ନରକେ ।

କାହାଠୁଁ ଲୋଡ଼ିବି ମୁକ୍ତି ଗୋଠଫେରା ଗୋରୁଙ୍କ ସାଙ୍ଗରେ

ମୁଁ ନିଜେ ହିଁ ଫେରୁଚି ଓ ସବୁବେଳେ ଦୂରରେ ଗୋଚର

ବେକୁବ ସମୟ ପରି ମୁଁ ନିଜର କ୍ଷତିରେ ବିହ୍ଵଳ

-ଯଦି ଜାଣି ହେଉଥାନ୍ତା ପାପଠାରୁ ପୁଣ୍ୟ କେତେଦୂର !

ଲଣ୍ଠନ ଜଳାଇ ଆମେ କିମିତି ବା ଫାଙ୍କିବା କହତ

ଅନ୍ଧାରର ସତ୍ୟତାକୁ ? ବ୍ୟକ୍ତିଗତ ମୃତ୍ୟୁରେ କିପରି

ଭୁଲି ହେବ ଜୀବନକୁ ? ତେଣୁ ଆହେ ବାଚାଳ ପବନ

ତମେ ମୋ’ ସାଙ୍ଗରେ ଚାଲ ଗୁହାଳକୁ ସୁନାପିଲା ପରି ।

ଅଥଚ ସେ ରାଜହଂସ ବାରମ୍ବାର ଡାକୁଚି ଆମକୁ

ପାପର ଉତ୍ତାପ ଦିଅ ତନୁ ଦାନେ କର ସିଉକାର

ଆମେ ଘାଣ୍ଟି ହେଲାବେଳେ ସେ ବିଚିତ୍ର ହଂସର ଧୈର୍ଯ୍ୟ

ଆକାଶେ ଉଡ଼ାଇ ପକ୍ଷ କରୁଥାଏ ମୁକ୍ତିର ପ୍ରଚାର ।

Image

 

ମନ୍ତ୍ର

 

ସେମାନେ ସମସ୍ତେ ଥିଲେ ପବନ ଓ ଜହ୍ନ ଓ ପାହାଡ଼

ଆଉ ଶୁଭ୍ର ହଂସ ଏକ ମୋ’ ନଦୀରେ ଡୁବ ମାରୁଥିଲା

ମୋ’ ପାପୁଲିଯାକ ଲୋଭ ପରିଶ୍ରମୀ ଶିଶୁର ପାଟିରେ

ଲଲିପପ୍ ରଙ୍ଗ ପରି, ଲାଳ ପରି ବୋଳା ହୋଇଥିଲା ।

 

ଆ’ ଆ’ ଆ’ ହଂସ ପବନରେ ପହଁରିଆ...ରେ

 

ମୁଁ ମାଟି କାମୁଡ଼ି ପଡ଼େ ତିନିହାତ ଛିଣ୍ଡା ସଉପରେ

ସ୍ଵପ୍ନକୁ ଯୋଡ଼ିବା ଆଗୁଁ ମୋତେ ମିଳୁ ସ୍ଵପ୍ନର ସତ୍ୟତା

ସାପ ଲାଙ୍ଗୁଡ଼ରେ କାନ୍ଥ ଡେଇଁବାର ଯଥେଷ୍ଟ ଆଗରୁ

ମତେ ଶୁଭୁ ତା’ ଦେହରେ ସମସ୍ତ ଓ କ୍ଷୟର କବିତା

ବଂଶୀର ଉତ୍ତର ଦେଉ ତା’ କଙ୍କଣ ଜଟିଳାର ଘରୁ ।

 

ତାପରେ ପବନ ମୋର ହାତ ଗୋଡ଼ ବାନ୍ଧି ପକାଇଲା

ଜହ୍ନର ହଳଦୀ ବୋଳି ମୋ’ ନଦୀରେ ମୋତେ ଗାଧୋଇଲେ

କାନ୍ଧରେ ପକାଇ ମୋତେ ବୋହିନେଲେ ମୋ’ କାମନାମାନେ

ସେ ପାହାଡ଼ ଉପରକୁ, ହୁଏତ ମୋ’ ମୁଣ୍ଡକୁ ଛେଚିବେ

କେଉଁ ରୁକ୍ଷ ପଥରରେ ମୁଁ ଉହୁଁକି ଦେଖିଲି ଯେ ତଳେ

ଶଙ୍ଖଶୁଭ୍ର, ହଂସଟିଏ ମୋ’ ନଦୀରେ ଡୁବ ମାରୁଥିଲା

ଚହଲା ପାଣିରେ ସ୍ଥିର ସାପମାନେ ହୁଏତ ବଞ୍ଚିବେ ।

Image

 

ବସନ୍ତ

(ଏକ)

 

ବସନ୍ତରେ ମନେପଡ଼େ ପାଶୋରା ନଈର ବାଙ୍କ, ହଳଦୀ ବସନ୍ତ

ଦୂର ଗାଁ ଶଗଡ଼ଗୁଳ, ଗୋଡ଼ଘଷା ତୁଠର ପଥର

କାନଦୁଲ୍ ପରି ଝୁଲେ ଆକାଶରେ ଗୋରା ଦି’ପହର

ପବନରେ ଭାରି ଗନ୍ଧ ଦୂର ତୋଟା ଆମ୍ବ ବଉଳର ।

 

ଏ ସ୍ଵପ୍ନ କାହିଁକି ଅସେ ଆମର ଏ ନିର୍ଜନ ଗଳିରେ ?

ତମର ବାଳରେ କୁଟା କେତେ ଧୂଳି ତମରି ଆଖିରେ

ତମରି ଦେହର ରଙ୍ଗ ଏ ଖରାରେ ଧୋଇଯିବା ପରେ

ଏ ସ୍ଵପ୍ନ କାହିଁକି ଆସେ ଅଳସୁଆ, ଉଦାସ ମନରେ ?

 

ମୁଁ ତୁମକୁ ଚାହେଁ ଯଦି ପୃଥବୀର କ’ଣ ଯାଏ ଆସେ

ଦେହି ଯଦି ଭଙ୍ଗିଯାଏ ଏ ଦେହକୁ ଗଢ଼ିବ କିଏ ସେ ?

ପୃଥିବୀର ଏତେ ଦୟା, ଏତେ କ୍ଷମା, ସ୍ଵପ୍ନ ଉତ୍ତାରୁ ବି

ସମୟର ହାହାକାରେ ଏ ଦେହର କ୍ଷୋଭ ଯାଇ ମିଶେ ।

 

ସମୟ ବସନ୍ତ ଯଦି ତମେ ଆସ ଗାଧୁଆ ତୁଠରେ ।

ହଜାଇ କାନର ଦୁଲ୍ ପୁଣି ଖୋଜ ମୋ ମ୍ଳାନ ଦେହରେ ।

 

(ଦୁଇ)

 

ବସନ୍ତ ଭୟର ଋତୁ ପବନରେ ଗୋପନ ଯନ୍ତ୍ରଣା

ମୋ ଦେହରେ ଗାଁ ମୁଣ୍ଡ ନିଛାଟିଆ ମଶାଣିପଦାର

ଛିଣ୍ଡା ସଉପ ଓ କୁଲା ଭଙ୍ଗା ହାଣ୍ଡି ହାଡ଼ ଓ ଖପରା

ମୋ’ ଆଙ୍ଗୁଠି ସବୁ ଯେହ୍ନେ ସମୟର ତୀକ୍ଷଣ କ୍ଷୁରଧାର ।

 

ତମର ଭୟ ଯେ ମୋର ଦେହର ଏ ବିବର୍ଣ୍ଣ ପାଉଁଶ

କେବେ କି ଫୁଟାଇପାରେ କଇଁଫୁଲ ତମ ପୋଖରୀରେ

ମୋର ଭୟ ତମର ସେ କଇଁଫୁଲ ତୀକ୍ଷ୍ଣ ପାଖୁଡ଼ାରେ

ସତେ ବା ରକ୍ତାକ୍ତ ହେବ ଏ ବିବର୍ଣ୍ଣ, ମ୍ଳାନ ଦି’ପହରେ ।

 

ଭୟ ଆସୁ, କ୍ଳାନ୍ତି ଆସୁ ତୁମେ ଆସ ମୋ’ ଲୋଭୀ କୋଳକୁ

ମୋ’ ଦେହରେ ତମେ ଶୁଣ ସମୟର ଯନ୍ତ୍ରଣା ଓ ଶୋକ

ମୁଁ ପଢ଼େ ତୁମରି ଦେହେ ମୋ’ ଉତ୍ତରସୁରୀଙ୍କ ଦୁର୍ଦ୍ଦଶା

ମୁଁ ଡେଇଁ ପାରିବି ନାହିଁ ଜାଣେ କାଣେ ସେମାନଙ୍କ ଛାଇର ବାଡ଼କୁ ।

 

(ନଈ ! ଟୋପେ ପାଣି ଦେବ ?) ତମେ ଆସ ସଂଜ ମରିଗଲେ

ସକାଲର ଭୋକ ନେଇ ତମର ସେ ଭୟାର୍ତ୍ତ ଆଖିରେ ।

 

(ତିନି)

 

ରକ୍ତରେ ଜଳୁଚି ଜୁଈ ସେମାନଙ୍କ ଦେହ ବି ଜଳୁଚି

ସେମାନେ ଚିତ୍କାର କରି ଭାଙ୍ଗୁଛନ୍ତି ମୋ’ର ସବୁ ହାଡ଼

ବିକଟାଳ ହସୁଛନ୍ତି ମୋ’ ନରମ ମାଂସକୁ ଛିଣ୍ଡାଇ

ମୁଁ ଦେଖୁଚି ଆଖି ମୋର ଆସ୍ତେ ଆସ୍ତେ ପାଲଟେ କୋରଡ଼ ।

 

ମୁଁ ଲୋଡ଼େ ତମରି ଆଶ୍ରା ତମେ ମୋର ପାଉଁଶ ମୁଠିକ

ରଖି ତମ ଫରୁଆରେ ଫରୁଆକୁ ଫିଙ୍ଗିବ ପାଣିକି

ତମେ କଇଁଫୁଲ ଭରା କାଚକେନ୍ଦୁ, ପାଣିର ପୋଖରୀ

ମୁଁ ପାଣିର ଅନ୍ଧାରରେ ବାଟହୁଡ଼ା ପାଗଳ ସଫରୀ ।

 

କେବେ ପୁଣି ମୁଁ ଉଠିବି ଚକ୍‍ଚକ୍ ଆଲୁଅର ଛୁରୀ

ପରି କାଟି ଅନ୍ଧାରର ପ୍ରସ୍ତ ପ୍ରସ୍ତ ବିବର୍ଣ୍ଣ କଲିଜା

ରକ୍ତ ମାଂସ ହେବ ପ୍ରଜ୍ଞା, ପ୍ରଜ୍ଞାପୁଣି ଦୟା ଆଉ କ୍ଷମା

ଶଙ୍ଖାସୁର ହେବ ବେଦ ବେଦ ପୁଣି ସୂର୍ଯ୍ୟର ରକ୍ତିମା ।

 

ବସନ୍ତ ରକ୍ତର ଋତୁ ତମେ ରକ୍ତ ପଳାଶର ନିଶା

ଶବ୍ଦର ସଂଯମ ତୁମେ ମୁଁ ଅନନ୍ତ ସମୟର ଭାଷା ।

 

(ଚାରି)

 

ହେ ପ୍ରଭୁ ! ତମକୁ ହତ୍ୟା କଲି କ୍ରୁଶେ, ଧନୁ ଓ ତୀରରେ

ତମକୁ ସ୍ମରିବା ପାଇଁ ଗ୍ରୀଷ୍ମ, ବର୍ଷା, ଶୀତ, ବସନ୍ତରେ

ତମରି ରକ୍ତରେ ଓଦା କରି ତାର ବିବର୍ଣ୍ଣ ମୃତ୍ତିକା

ତମକୁ ରୋପିବା ପାଇଁ, ସମୟ ଓ ଭୟର ଉତ୍ତାରେ ।

 

ତମରି କୃପାରେ ଗର୍ବୀ ସୂର୍ଯ୍ୟୋଦୟ ଆରକ୍ତ ଆକାଶ

ତମରି କ୍ଷମାରେ ଧନ୍ୟ ଏ ସୂର୍ଯ୍ୟାସ୍ତ ଆରକ୍ତ ଆକାଶ

ମାୟାରୁ ମୋ’ ମୁକ୍ତି ନାହିଁ, ପୃଥିବୀର ମୃତ୍ୟୁ କେବେ ନାହିଁ

ତମ ରକ୍ତ ଚିରନ୍ତନ ଆହେ କବା କୁସୁମ ସଂକାଶ !

 

ଆଜି ତେଣୁ ମୋ ଦେହରେ ସମୟର କଂପନ ଓ ଗତି

ତମ ଦେହେ କୁଙ୍କୁମ ଓ ବଉଳର ଗନ୍ଧ କବରୀରେ

ମୋ ଡାକରେ ଧକ୍କା ଖାଏ ତମ ଡାକ ନିଛାଟିଆ ନଈବାଙ୍କ ଆଡ଼େ

ଆମରି ରକ୍ତରେ ପୂର୍ବ ପୁରୁଷଙ୍କ ଗୋଳମାଳ ବଢ଼େ ।

 

ତମେ ଯଦି ମାନିଯାଅ ସମୟର, ମୃତ୍ୟୁର ବଡ଼େଇ

ତମେ ତେବେ ଖୋଜିଆଣ ବସନ୍ତରେ ମନର ଚଢ଼େଇ ।

Image